ଖୋଲୁଛି ଚାନ୍ଦିପୁର ତଥ୍ୟ ଲିକ୍ ଘଟଣାର ଗୁମର । ପାକିସ୍ତାନୀ ମହିଳାଙ୍କ ହନିଟ୍ରାପରେ ଫସିଥଲେ ୪ ଅଭିଯୁକ୍ତ ।

193

କନକ ବ୍ୟୁରୋ: ଧୀରେ ଧୀରେ ଖୋଲୁଛି ବସନ୍ତ ବେହେରା, ହେମନ୍ତ ମିସ୍ତ୍ରୀ, ତାପସ ନାୟକ ଓ ଶେଖ୍ ମୁସାଫିରଙ୍କ ଗୁମର । ସୂଚନା ମିଳୁଛି, ସୁନ୍ଦରୀ ମହିଳା ଓ ମୋଟା ଅଙ୍କର ଟଙ୍କା ଲୋଭ, ଏମାନଙ୍କୁ ସଜାଇ ଦେଇଥିଲା ଦେଶଦ୍ରୋହୀ । ତେବେ ଏହି ଦେଶଦ୍ରୋହୀଙ୍କ ପୂରା ଚେନ୍ କେଉଁ ଆଡକୁ ବ୍ୟାପିଛି ଏହାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୂର୍ବରୁ ଇଶ୍ୱର ବେହେରା ମାମଲାରେ ମଧ୍ୟ ତଦନ୍ତ ସମାନ ଦିଗରେ ଆଗେଇ ଥିଲା । ଏପରକିି ଏନଆଇଏ ମଧ୍ୟ ଷଡଯନ୍ତ୍ର ଉପରୁ ପରଦା ହଟାଇଥିଲା ।

ମିଳିଥିବା ସୂଚନା ମୁତାବକ, ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ କାମ କରୁଥିବା ଏହି ୪ ଠିକା କର୍ମଚାରୀ , ପାକିସ୍ତାନର ଜଣେ ମହିଳାଙ୍କ ହନିଟ୍ରାପରେ ପଡିଥିଲେ । ଜଣକ ପରେ ଜଣେ କର୍ମଚାରୀ ଏହି ମହିଳାଙ୍କ ସମ୍ପର୍କରେ ଆସିଥିଲେ । ସର୍ଭିଲାନ୍ସରୁ ଜଣାପଡିଛି, ପାକିସ୍ତାନୀ ମହିଳାଙ୍କ ସହ ଅଭିଯୁକ୍ତମାନେ ନିୟମିତ ଯୋଗାଯୋଗରେ ରହିବା ସହ ଟଙ୍କା କାରବାର କରୁଥିଲେ । ଅନ୍ତର୍ଜାତୀୟ କଲ ମାଧ୍ୟମରେ ତଥ୍ୟ ଆଦାନ ପ୍ରଦାନ ହେଉଥିଲା । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବା ପରେ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଆସୁଥିଲା ପୁଳା ପୁଳା ଟଙ୍କା ।

ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବର୍ଷ ବର୍ଷ ଧରି ଠିକା କର୍ମଚାରୀ ଭାବେ କାମ କରୁଥିଲେ ଏହି ୪ ଅଭିଯୁକ୍ତ । ଯେହେତୁ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏହି ଅନୁଷ୍ଠାନରେ କାମ କରୁଥିଳେଏ ତେଣୁ ଅନେକ ଗୋପନୀୟ ତଥ୍ୟ ଓ ସୂଚନା, ଏମାନେ ପାଉଥିବାର ଅନୁମାନ କରାଯାଉଛି । ସେହି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଶତ୍ରୁ ରାଷ୍ଟ୍ର ହାତକୁ ବିକ୍ରି କରି ଦେଉଥିଲେ । ଏବେ ପ୍ରଶ୍ନ ଉଠୁଛି, ଦେଶର ପ୍ରତିରକ୍ଷା ପ୍ରତିଷ୍ଠାନରେ କାହିଁକି ଠିକା ନିଯୁକ୍ତି ହେଉଛି? ଏମାନଙ୍କ ଉପରେ କିଏ ନଜର ରଖୁଛି? ଠିକା କର୍ମଚାରୀ ହୋଇଥିବାରୁ ଏମାନଙ୍କ ଆନୁଗତ୍ୟ ରହୁନାହିଁ କି?

ତେବେ କେବଳ ଏହି ୪ ଜଣ, ଶତ୍ରୁ ପକ୍ଷକୁ ଗୋପନୀୟ ତଥ୍ୟ ଦେଉଥିଲେ ନା ପରଦା ପଛରେ ଆଉ କେହି ମାଷ୍ଟର ମାଇଣ୍ଡ ରହିଛନ୍ତି, ତାର ମୂଳରେ ପହଁଚିବା ତଦନ୍ତକାରୀ ଏଜେନ୍ସି ପାଇଁ ବଡ଼ ଗ୍ୟାଲେଞ୍ଜ ହୋଇପାରେ ।