ଆବାସ ଯୋଜନାରେ ଘର କରି ହଇରାଣ ହେଉଛନ୍ତି ଦିବ୍ୟାଙ୍ଗ ପରିବାର: ଟ୍ରାଇସାଇକେଲରେ କାର୍ଯ୍ୟାଳୟରୁ କାର୍ଯ୍ୟାଳୟ ବୁଲୁଛନ୍ତି ଭୋଗରାଇ ରଇପୁର ଗାଁର କଳ୍ପନା

106

କନକ ବ୍ୟୁରୋ: ଆବାସ ଯୋଜନା ଅର୍ଥ ନପାଇ ଭୋ ଭୋ ହୋଇ କାନ୍ଦୁଛନ୍ତି ଦିବ୍ୟାଙ୍ଗ ହିତାଧିକାରୀ । ଘର କାମ ସରିଥିଲେ ମଧ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହେଉନି ଟଙ୍କା । ପ୍ରକୃତ ହିତାଧିକାରୀଙ୍କ ପାଖକୁ ଟଙ୍କା ନଯାଇ ଅନ୍ୟଜଣେ ହିତାଧିକାରଙ୍କ ଆକାଉଂଟକୁ ଯାଉଛି ଟଙ୍କା । ଏନେଇ ବାରମ୍ବାର ଅଭିଯୋଗ ପରେ ବି ସମସ୍ୟାର ସମାଧାନ ହେଉନି । ଟଙ୍କା ପାଇବା ପାଇଁ ଟ୍ରାଇସାଇକେଲରେ ଏ ଅଫିସରୁ ସେ ଅଫିସ ବୁଲୁଛନ୍ତି ଦିବ୍ୟାଙ୍ଗ ପରିବାର । ଏ ହେଉଛନ୍ତି ବଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ରଇପୁର ଗାଁର କଳ୍ପନାଙ୍କ ପରିବାର । ସ୍ୱାମୀ, ନ୍ତ୍ରୀ ଓ ପୁଅ ୩ ଜଣ ଯାକ ଦିବ୍ୟାଙ୍ଗ । ସରକାରଙ୍କ ପକ୍ଷରୁ ପିଏମଏୱାଇ ଯୋଜନାରେ ଘର କାମ ପାଇଁ କାର୍ଯ୍ୟାଦେଶ ମିଳିଥିଲା । କଳ୍ପନା ଦିବ୍ୟାଙ୍ଗ ହୋଇଥିବାରୁ ନଣନ୍ଦ ଆରତୀ ଦାସ ଘର କରିବାର ଦାୟିତ୍ୱ ନେଇ କାମ କରିଛନ୍ତି । ଏବେ ଟଙ୍କା ନମିଳିବାରୁ ସମସ୍ୟା ଭୋଗୁଛନ୍ତି ।

୬ ମାସ ହେଲା ଟଙ୍କା ପାଇଁ ଅଫିସର ମାନଙ୍କୁ ନେହୁରା ହେଉଛନ୍ତି । ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ ପରେ ପ୍ରଥମ କିସ୍ତି ଟଙ୍କା କଳ୍ପନାଙ୍କ ଆକାଉଂଟକୁ ଆସିଥିଲା । ହେଲେ ଦ୍ୱିତୀୟ କିସ୍ତିରେ ମିଳିଥିବା ୬୫ ହଜାର ଓ ତୃତୀୟ କିସ୍ତିରେ ମିଳିଥିବା ୧୫ ହଜାର ଟଙ୍କା ଅନ୍ୟ ଜଣଙ୍କ ଆକାଉଂଟକୁ ଯାଇଛି । ଘର କାମ ଶେଷ ହୋଇଥିଲେ ମଧ୍ୟ ଦୁଇଟି କିସ୍ତିର ୮୦ ହଜାର ଟଙ୍କା ଓ ବୋନସ ୧୦ ହଜାର ଟଙ୍କା ଏବେ ବି ମିଳିପାରିନାହିଁ । ଏନେଇ ଅଧିକାରୀଙ୍କୁ ପ୍ରଶ୍ନ କରିବାରୁ ସେମାନଙ୍କ ଠାରୁ ସନ୍ତୋଷଜନକ ଉତର ମିଳିପାରିନାହିଁ । ତେବେ ଖୁବ୍ ଶୀଘ୍ର ଏହି ଦିବ୍ୟାଙ୍ଗ ପରିବାରର ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି ।