ବେଙ୍ଗାଲୁରୁରୁ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ନେଇ କ’ଣ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ?

72

କନକ ବ୍ୟୁରୋ : ବେଙ୍ଗାଲୁରୁରୁ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଲୋକମାନଙ୍କୁ ଆତଙ୍କିତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, କେନ୍ଦ୍ର ସରକାରଙ୍କ ପାଖରୁ ଅନ୍ୟ ଦେଶରୁ ଆସୁଥିବା ଲୋକଙ୍କ ସୂଚନା ମିଳୁଛି । ରାଜ୍ୟକୁ ଆସିଥିବା ଏଭଳି ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ଲାଗି ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ସ୍ତରରେ ସେମାନଙ୍କୁ ଟେଷ୍ଟ କରାଯିବ। ଯେଉଁମାନେ ବିଦେଶରୁ ଆସୁଛନ୍ତି, ବିମାନବନ୍ଦରରେ ସେମାନଙ୍କର ଟେଷ୍ଟ କରାଯାଉଛି । ଯେଉଁମାନଙ୍କର ନେଗେଟିଭ ରିପୋର୍ଟ ଆସୁଛି, ହୋମ କ୍ଵାରେଣ୍ଟିନରେ ରହିବାକୁ କୁହାଯାଉଛି । ସାତଦିନ ପରେ ଅଷ୍ଟମ ଦିନରେ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କର ଭିତରୁ ଯାହାର ପଜିଟିଭ ଆସିବ, ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯିବ।

ଆକ୍ରାନ୍ତ ରାଷ୍ଟ୍ରରୁ ଆସିଥିବା ୩୮୦ ଲୋକଙ୍କ ତଥ୍ୟ ସଂଗ୍ରହ ପାଇଁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, ଏହି ଭାରିଆଣ୍ଟର ସଂକ୍ରମଣ କ୍ଷମତା ଅଧିକ। କ୍ଷିପ୍ର ଗତିରେ ବ୍ୟାପୁଛି। ୧୦ ଦିନ ଭିତରେ ୨୯ ରାଷ୍ଟ୍ରକୁ ବ୍ୟାପି ଗଲାଣି । କିନ୍ତୁ ଗୁରୁତର କରିବାର କ୍ଷମତା କେତେ, ମୃତ୍ୟୁହାର କଣ,ସେନେଇ କୌଣସି ତଥ୍ୟ ନାହିଁ । ଦକ୍ଷିଣ ଆଫ୍ରିକାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ବଢ଼ିନାହିଁ । ଓମିକ୍ରନ ଆକ୍ରାନ୍ତମାନେ ହସ୍ପିଟାଲାଇଜେସନ ସମୟରେ ଗୁରୁତର ହେବା ଜଣାପଡିନି। ତେଣୁ ଲୋକେ ଆତଙ୍କିତ ହୁଅନ୍ତୁ ନାହିଁ, ବରଂ ସତର୍କ ହୁଅନ୍ତୁ । ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ।

ଶିକ୍ଷାନୁଷ୍ଠାନ ଲାଗି ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ଗାଇଡଲାଇନ ଦେଇଛନ୍ତି । ଆମେ ମଧ୍ୟ ଜିଲ୍ଲାମାନଙ୍କୁ ଜଣାଇଛୁ । ସ୍କୁଲଗୁଡ଼ିକ କୋଭିଡ ଅନୁରୂପ ନିୟମ କେମିତି ମାନୁଛନ୍ତି, ତଦାରଖ କରିବାକୁ ନିର୍ଦ୍ଦେଶ ରହିଛି। ଯେଉଁ ଛାତ୍ରଛାତ୍ରୀଙ୍କ ଲକ୍ଷଣ ରହୁଛି, ସେମାନଙ୍କୁ ସ୍କୁଲ ନ ଆସିବାକୁ କୁହାଯାଇଛି। ଲକ୍ଷଣ ପ୍ରକାଶ ପାଇଲେ ଜଣାଇବାକୁ କୁହାଯାଇଛି । ଏମିତିକି ପ୍ରତି ସ୍କୁଲରେ ଗୋଟିଏ ଲେଖାଏଁ କ୍ଵାରେଣ୍ଟିନ ରୁମ କରାଯାଇଛି । ଯାହାର ଲକ୍ଷଣ ପ୍ରକାଶ ପାଉଛି, ସେମାନଙ୍କୁ ଏହି କ୍ଵରେଣ୍ଟିନ ରୁମରେ ରଖାଯାଉଛି ।