ଟ୍ରକ୍ ଡ୍ରାଇଭରଙ୍କୁ ଚାପୁଡ଼ା ମାରି ଫସିଗଲେ ଧର୍ମଶାଳା ତହସିଲଦାର । ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ଏସଡିପିଓ ପହଞ୍ଚି କଲେ ଉଦ୍ଧାର 

881

କନକ ବ୍ୟୁରୋ : ଟ୍ରକ ଡ୍ରାଇଭରକୁ ଚାପୁଡା ମାରି ହଟହଟା ହେଲେ ଧର୍ମଶାଳା ତହସିଲଦାର । ଧର୍ମଶାଳା ତହସିଲଦାର ଟ୍ରକ ଡ୍ରାଇଭରକୁ ଚାପୁଡା ମାରିବା ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଥିଲା ଗାଡି ଚାଳକ ସଂଘ । ଏପରି କି ଚଢେଇଧରା ଫାଣ୍ଡିରେ ପଶିଯାଇଥିବା ତହସିଲଦାରଙ୍କୁ ଦୀର୍ଘ ସମୟ ଧରି ଗାଡି ଚାଳକ ସଂଘ ଅଟକ ରଖିଥିଲେ । ଖବର ପାଇଁ ଯାଜପୁର ରୋଡ ଏସଡିପିଓ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଂଚି, ଅଟକ ତହସିଲଦାର, ଆଡିସନାଲ ତହସିଲଦାର ଏବଂ ଆରଆଇଙ୍କୁ ଉଦ୍ଧାର କରିଛନ୍ତି । ଗାଡି ଚାଳକ ସଂଘକୁ ବୁଝାସୁଝା କରିବା ପରେ ମାମଲା ଶାନ୍ତ ପଡିଛି ।

ସୂଚନା ଅନୁସାରେ ଆଜି ସକାଳେ ଧର୍ମଶାଳା ତହସିଲଦାର, ଚଢେଇ ଧରା ଫାଣ୍ଡି ନିକଟରେ କଳାପଥର ବୋଝେଇ ଦୁଇଟି ଟ୍ରକକୁ ଅଟକ ରଖି କାଗଜପତ୍ର ଯାଂଚ କରିଥିଲେ । ଜାଲ କାଗଜପତ୍ର ଦେଖାଉଥିବା କହି ତହସିଲଦାର, ଦୁଇ ଡ୍ରାଇଭରଙ୍କୁ ଚାପୁଡା ମାରିବା ସହ ଧକ୍କା ଦେଇଥିବା ଅଭିଯୋଗ ହୋଇଛି । ଏହା ଗାଡି ଚାଳକ ସଂଘକୁ ମାଡ ଖାଇଥିବା ଦୁଇ ଡ୍ରାଇଭର ଜଣାଇବା ପରେ ଘଟଣାସ୍ଥଳରେ ପହଂଚିଥିଲେ ଶତାଧିକ ଗାଡି ଚାଳକ । ବିନା କାରଣରେ ଡ୍ରାଇଭରଙ୍କୁ ଦୁର୍ବ୍ୟବହାର କରିଥିବା ତହସିଲଦାର କ୍ଷମା ମାଗିବାକୁ ଦାବି କରିଥିଲା ସଂଘ । ସ୍ଥିତି ବିଗୁଡୁଥିବା ଦେଖି ଚଢେଇଧରା ଫାଣ୍ଡି ଭିତରେ ପଶିଯାଇଥିଲେ ରାସ୍ତାରେ ଯାଂଚ କରୁଥିବା ତହସିଲଦାର, ଆଡିସନାଲ ତହସିଲଦାର ଏବଂ ଆରଆଇ । ଏହାପରେ ଗାଡି ଚାଳକ ସଂଘର ସଦସ୍ୟ, ଚଢେଇଧରା ଫାଣ୍ଡିକୁ ଦୀର୍ଘ ସମୟ ଧରି ଘେରାଉ କରିବାରୁ, ରାଜସ୍ୱ ଅଧିକାରୀ ଦୀର୍ଘ ସମୟ ଧରି ଫାଣ୍ଡି ଭିତରେ ଫସି ରହିଥିଲେ ।

ତହସିଲଦାର ଦୁଇ ଟ୍ରକ ଡ୍ରାଇଭରକୁ କ୍ଷମା ମାଗିବା ଦାବିରେ ଚଢେଇଧରା ଫାଣ୍ଡି ନିକଟ ରାସ୍ତାକୁ ମଧ୍ୟ ଅବରୋଧ କରିଥିଲେ । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଯାଜପୁର ଏସଡିପିଓ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଂଚି ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ରାସ୍ତାରୋକ ହଟିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି ।