ଚାଲିଛି ଆଡ଼ପ ଦର୍ଶନ। ଜନ୍ମବେଦୀରେ ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ୱଳ ହେଲେ ଭକ୍ତ

189

କନକ ବ୍ୟୁରୋ: ରତ୍ନବେଦୀ ଛାଡି ଏବେ ଜନ୍ମବେଦୀରେ ତିନି ଠାକୁର । ଆଡପ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ବିଶ୍ୱାସ ରହିଛି, ଥରେ ଆଡପ ମଣ୍ଡପ ଦର୍ଶନ, ଦଶବର୍ଷର ଶ୍ରୀମନ୍ଦିର ଦର୍ଶନ ସହ ସମାନ । ତେଣୁ ଜନ୍ମବେଦୀରେ କାଳିଆ ଠାକୁରକୁ ଟିକେ ଆଖି ପୁରାଇ ଦେଖିବା କାହିଁ କେତେ ଦୂରରେ ଛୁଟି ଆସିଛନ୍ତି ଭକ୍ତ । ଘଂଟା ଘଂଟା ଧରି ଧାଡିରେ ଠିଆ ହୋଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ଯାହା ଦିନ ତମାମ ଗୁଣ୍ଡିଚାମନ୍ଦିର ଆଗରେ ଦେଖିବାକୁ ମିଳିଛି । କାଳିଆ ସାଆନ୍ତଙ୍କ ଦର୍ଶନ ପରେ ଖୁସିରେ ବିଭୋର ହୋଇଛନ୍ତି ଭକ୍ତ । ତେବେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ରଥ ଉପରେ ଦୁଇ ଦିନ ଧରି ମହାପ୍ରଭୁ ଶୁଖିଲା ମହାପ୍ରସାଦ ଭୋଗ ଖାଉଥିଲେ । ଏବେ ଆଡପ ମଣ୍ଡପରେ ମହାପ୍ରଭୁଙ୍କ ପାଖରେ ଲାଗିଛି ଅନ୍ନପ୍ରସାଦ । ମହାପ୍ରଭୁଙ୍କ ପାଖରେ ଲାଗି ହେବା ପରେ ବାହାରିଛି ଆଡପ ଅବଢ଼ା । ଆଉ ସେହି ଆଡପ ଅବଢ଼ା ଖାଇ ଖୁସି ହୋଇଛନ୍ତି ଶ୍ରଦ୍ଧାଳୁ । ଅବଢ଼ା ପାଇଁ ଶ୍ରଦ୍ଧାଳୁମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ । ଗତକାଲି ମହାପ୍ରଭୁଙ୍କ ସଅଳ ପହଣ୍ଡି ପରେ ରାତିରେ ଜନ୍ମବେଦୀରେ ଚନ୍ଦନ ଲାଗି, ଦହିପଖାଳ ଲାଗି ହେବା ପରେ ପହୁଡ ପଡିଥିଲା । ଆଜି ସକାଳୁ ଅଧରପୋଛା ନୀତି ସରିବା ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ଦର୍ଶନ ।