କାଳିଆ ସାଆନ୍ତଙ୍କୁ ପାଖରେ ପାଇ ଭକ୍ତିରେ ବିଭୋର ହେଲେ ଭକ୍ତ। ଆଖିରୁ ଝରିଲା ଧାର ଧାର ଲୁହ…

49

କନକ ବ୍ୟୁରୋ: ଝରି ଯାଉ ଯେତେ ଝରିବାରେ ଅଛି । ଇଏ ଦୁଃଖର ଲୁହ ନୁହେଁ ଯେ, ଦୁଃଖ କରିବାର ଅଛି । ଆନନ୍ଦର ଅଶ୍ରୁ ଇଏ । ଚର୍ମଚକ୍ଷୁରେ ଦିବ୍ୟ-ନୟନର ଦର୍ଶନ, ଶ୍ରଦ୍ଧାଳୁଙ୍କୁ ଭାବ ବିହ୍ୱଳ କରିଦେଇଛି । କାଳିଆ ସାଆନ୍ତଙ୍କୁ ପାଖରେ ପାଇ ଭକ୍ତିରେ ବିଭୋର ହୋଇପଡ଼ିଛି ଭକ୍ତ । ନିଜର କୋହ ସମ୍ଭାଳି ପାରୁନାହାନ୍ତି । ଆଖିରୁ ଝରି ଆସୁଛି ଧାର ଧାର ଲୁହ । ପୁରୀ ବଡ ଦାଣ୍ଡରେ ଏଭଳି ଅନେକ ଦୃଶ୍ୟ ସାମ୍ନାକୁ ଆସିଛି ।

ସେପଟେ ଭକ୍ତି ଡାକିଆଣିଛି ବିଦେଶୀ ଭକ୍ତଙ୍କୁ । ଜଗାଦର୍ଶନ ପାଇଁ ଦୂରଦୂରାନ୍ତରୁ ଧାଇଁ ଆସିଛନ୍ତି ଶ୍ରଦ୍ଧାଳୁ । ବିଶ୍ୱନିୟତାଙ୍କ ଘୋଷଯାତ୍ରାରେ ସାମିଲ ହେବା ପାଇଁ ଶ୍ରୀକ୍ଷେତ୍ରରେ ପଡ଼ିଛି ପାଦ । କିଏ ଜୟ ଜଗନ୍ନାଥ ନାରା ଦେଉଛନ୍ତି, ତା’ ଆଉ କିଏ ହରେ କୃଷ୍ଣ ଭଜନ ଗାଇ ଭକ୍ତିଭାବ ଦେଖାଉଛନ୍ତି ।

ବଡ଼ଦାଣ୍ଡ ପାଲଟିଛି ସଂସ୍କୃତିର ମହାମଞ୍ଚ । ଓଡ଼ିଶୀ, କଥକ, ପଞ୍ଜାବୀ ଭଳି ପାରମ୍ପରିକ ଓ ଶାସ୍ତ୍ରୀୟ ନାଚରେ ଝୁମୁଛନ୍ତି ନୃତ୍ୟଶିଳ୍ପୀ । ନୃତ୍ୟ ମାଧ୍ୟମରେ ମହାପ୍ରଭୁଙ୍କ ମନ ମୋହିବାକୁ ଭକ୍ତି ଦେଖାଇଛନ୍ତି ଦେଶର କୋଣ ଅନୁକୋଣରୁ ଆସିଥିବା କଳାକାର । ଭକ୍ତି ଓ ଶ୍ରଦ୍ଧାର ବଡ଼ଦାଣ୍ଡରେ ଝଲସି ଉଠୁଛି ଭାରତୀୟ ସଂସ୍କୃତିର ଝଲକ ।

ଲୀଳାମୟ ଠାକୁରଙ୍କ ଲୀଳା ଅପାର । ଏହି ଅଦ୍ଭୁଦ ଲୀଳାରେ ଭକ୍ତ-ଭଗବାନ ଏକାକାର । ବଡ଼ଦାଣ୍ଡ ଯେମିତି ପାଲଟି ଯାଇଛି, ପୌରାଣିକ ଚରିତ୍ରଙ୍କ ମହାମଞ୍ଚ । ଭଗବାନଙ୍କ ବେଶରେ ଭକ୍ତ । କିଏ ହନୁମାନ ବେଶରେ ନଜର ଆସିଛନ୍ତି, ତ ଆଉ କିଏ ଶିବ-ପାବର୍ତୀଙ୍କ ରୂପଧାରଣ କରି ରଥଯାତ୍ରାରେ ସାମିଲ ହୋଇଛି । ଏମିତି କି ସୁଦାମାଙ୍କ ବେଶରେ ଭଗବାନଙ୍କୁ ଦେଖିଛନ୍ତି ଭକ୍ତ ।

ଲୋକାରଣ୍ୟ ବଡ଼ଦାଣ୍ଡ । ଭକ୍ତିମୟ ପରିବେଶ । ପବିତ୍ର ରଥଯାତ୍ରାରେ ଭକ୍ତ ଓ ଭଗବାନଙ୍କ ମିଳନର ଏଭଳି ଅସଂଖ୍ୟ ଓ ଅଦ୍ଭୁତ ଚିତ୍ର ଆସିଛି ଶ୍ରୀକ୍ଷେତ୍ରରୁ ।