ପାଠ ପଢିଲେ କଟକର ଡେପୁଟି ମେୟର: ରେଭେନ୍ସା ଆସି କ୍ଲାସରୁମରେ ସାଙ୍ଗସାଥୀଙ୍କୁ ଭେଟିଲେ, ଅଧ୍ୟାପକଙ୍କ ସହ କଲେ ଆଲୋଚନା

609

କନକ ବ୍ୟୁରୋ: କଟକ ଡେପୁଟି ମେୟର ଦମୟନ୍ତୀ ମାଝି । ବୟସ ମାତ୍ର ୨୨ ବର୍ଷ । ଆଉ ଏହି ବୟସରେ କାନ୍ଧରେ ମହାନଗରର ବିକାଶର ଦାୟିତ୍ୱ ସହ ମୁଣ୍ଡ ଉପରେ ପାଠ ପଢିବାର ଆଗ୍ରହ । ଆଉ ଚାପ ସତ୍ୱେ ଭେଭେନ୍ସା ବିଶ୍ୱବିଦ୍ୟାଳୟରେ ବି,କମ ପଢୁଥିବା ଦମୟନ୍ତୀ କ୍ଲାସରେ ଯୋଗଦେଇଛନ୍ତି । କ୍ଲାସ ରୁମରେ ସାଙ୍ଗମାନଙ୍କ ସହ ଗପସପ କରିଛନ୍ତି ଓ ପ୍ରିନ୍ସିପାଲଙ୍କ ସହ ବସି ପାଠ ବିଷୟରେ ଆଲୋଚନା କରିଛନ୍ତି । କ୍ଲାସରେ ସାମିଲ ହୋଇ ସେ ବେଶ ଖୁସି ଅନୁଭବ କରିଛନ୍ତି ଓ ପାଠପଢା, ଦାୟିତ୍ୱକୁ ନେଇ ଯତ୍ନବାନ ବି ଅଛନ୍ତି ।

କଟକକୁ ସଜାଡିବାକୁ ଦାୟିତ୍ୱ ନେଇଥିବା ଦମୟନ୍ତୀଙ୍କୁ ନେଇ ଏବେ ବିଶ୍ୱବିଦ୍ୟାଳୟର ସମସ୍ତେ ଗର୍ବିତ । ତାଙ୍କ ପାଠପଢା ଯେମିତି ଠିକ ହୋଇପାରିବ ସେ ନେଇ ଅଧ୍ୟାପକ ମାନେ ମଧ୍ୟ ସହଯୋଗର ହାତ ବଢାଇଛନ୍ତି ।

ବସ୍ତିରେ ରହୁଥିବା ଜଣେ ଦିନ ମଜୁରିଆର ଝିଅ ଦମୟନ୍ତୀ ମାଝି ହେଉଛନ୍ତି କଟକର ସର୍ବକନିଷ୍ଠ ଡେପୁଟି ମେୟର । ୪୯ ନମ୍ବର ୱାର୍ଡରୁ ସେ କର୍ପୋରେଟର ହୋଇଛନ୍ତି । ୨୦୧୭ରେ ବାପା ପାଣିରେ ବୁଡି ପ୍ରାଣ ହରାଇଥିଲେ । ଆଉ ମାଆ ଦିନମଜୁରିଆ ଭାବେ କାମ କରନ୍ତି । ଆଉ ଡେପୁଟି ମେୟର ଦମୟନ୍ତୀ ଏବେ ଅନ୍ୟମାନଙ୍କ ପ୍ରେରଣା ପାଲଟିଛନ୍ତି ।