ମପା ହେବ ହୀରାକୁଦ ଜଳଭଣ୍ଡାରର ଗଭୀରତା । ସର୍ବବୃହତ ମାଟି ବନ୍ଧର ଗଭୀରତା ଓ ପଟୁ ମାଟି ମାପିବାକୁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ।

122

କନକ ବ୍ୟୁରୋ: ମପାଯିବ ହୀରାକୁଦ ଜଳଭଣ୍ଡାରର ଗଭୀରତା । ବିଶ୍ୱର ସର୍ବବୃହତ ମାଟିବନ୍ଧ ଗଭୀରତା ଓ ପଟୁ ମାଟି ମପାଯିବ । ଏନେଇ ସରକାରୀ ସ୍ତରରେ ଟେଣ୍ଡର ପ୍ରକ୍ରିୟା ସରିଛି ଏବଂ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ।

ମହାନଦୀର ଜଳ ବିବାଦ ଟ୍ରିବୁନାଲରେ ଥିବା ବେଳେ ହୀରାକୁଦ ଡ୍ୟାମର ଗଭୀରତା ଓ ପଟୁ ମାଟି ମାପିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ନଦୀବନ୍ଧ ତିଆରି ବେଳର ନକ୍ସା, ଗଭୀରତା ଓ ଜଳଧାରଣା କ୍ଷମତାକୁ ଆଧାର କରି ବାଥମେଟ୍ରିକ ସର୍ବେକ୍ଷଣ ଜରିଆରେ ଏହାକୁ ମପାଯିବ । ଡ୍ୟାମ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି । ମହାନଦୀ ଉପର ମୁଣ୍ଡରେ ଛତିଶଗଡର ଚେକ୍ ଡ୍ୟାମ, ବ୍ୟାରେଜ ନିର୍ମାଣ ଯୋଗୁଁ ହୀରାକୁଦକୁ ଜଳ ପ୍ରବେଶ କମୁଛି । ପ୍ରତିବର୍ଷ ପଟୁମାଟି ଧସେଇ ପଶୁଥିବାରୁ ଗଭୀରତା କମୁଛି । ଯାହାକୁ ନେଇ ଜଳସମ୍ପଦ ବିଭାଗ ଚିନ୍ତା କରିବା ସହ ଏଭଳି ପଦକ୍ଷେପ ହାତକୁ ନିଆଯାଇଛି ।

୨୦୦୦ ମସିହାରେ ହୋଇଥିବା ସର୍ବେକ୍ଷଣ ତଥ୍ୟ ଅନୁସାରେ, ଲାଇଭ ଷ୍ଟୋରେଜ ଅର୍ଥାତ୍ ବ୍ୟବହୃତ ହେଉଥିବା ଜଳର ପରିମାଣ ୧୭.୭୯ ପ୍ରତିଶତ, ଡେଡ୍ ଷ୍ଟୋରେଜ ଅର୍ଥାତ୍ ଜଳଭଣ୍ଡାରରେ ଗଚ୍ଛିତ ରହୁଥିବା ଜଳର ପରିମାଣ ୬୫.୬୮ ପ୍ରତିଶତ ଥିଲା । ପଟୁମାଟି ଦ୍ୱାରା ପୋତି ହୋଇଯାଇଥିଲା ୨୩.୮୩ ପ୍ରତିଶତ ଜଳଭଣ୍ଡାର । ବର୍ତ୍ତର୍ମାନ ଏସବୁର ଆକଳନ ପୁଣି ଥରେ କରାଯିବ ବୋଲି ନିଜେ କର୍ତ୍ତୃପକ୍ଷ କହିଛନ୍ତି ।