ବାଂଲାଦେଶ ଆଡ଼କୁ ମୁହାଁଇଲା ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ : ଓଡ଼ିଶା ଉପରୁ ଟଳିଲା ବିପଦ

348

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନରେ ପରିଣତ ହେବା ସହ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇଛି । ତେବେ ଏହା ଟିକିଏ ଦୁର୍ବଳ ହୋଇପଡ଼ିଥିବାରୁ ଡିପ-ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ହ୍ରାସ ପାଇଛି । ତେବେ ଆଜି ମଧ୍ୟାହ୍ଣ ସୁଦ୍ଧା ଏହା ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପଡ଼ା ଅଞ୍ଚଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଆଇଏମଡି ପକ୍ଷରୁ ଟ୍ଵିଟକରି କୁହାଯାଇଛି ଯେ, ଆଜି ସକାଳ ସାଢେ ୫ଟା ସୁଦ୍ଧା ଏହି ଡିପ୍ରେସନ ପାରାଦୀପଠାରୁ ୨୦୦ କିଲୋମିଟର ପୂର୍ବ-ଉତ୍ତର-ପୂର୍ବ ଦିଗରେ, ପଶ୍ଚିମବଙ୍ଗର ସାଗରଦ୍ୱୀପଠାରୁ ୬୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ଓ ଖେପୁପଡ଼ାଠାରୁ ୨୧୦ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରେ ରହିଥିଲା । ଏହା ଗତ ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୨୨ କିଲୋମିଟର ବେଗରେ ଗତି କରୁଛି ।

ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇଥିବାରୁ ଓଡ଼ିଶା ପ୍ରତି ବିପଦ ଆଶଙ୍କା ଦୂର ହୋଇଛି । ତେବେ ଆଜି ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ । ମୋଟାମୋଟି ଭାବେ ରାଜ୍ୟରେ ଆଜି ପାଣିପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି ।