କନକ ବ୍ୟୁରୋ: ଆପଣ ଜାଣିଥିବେ କୋଟି କୋଟି ଟଙ୍କାର ଠିକା କାମକୁ ଅଯଥାରେ ଖଣ୍ଡ ଖଣ୍ଡ କରି ବାଂଟିବା ରିପୋର୍ଟ କନକନ୍ୟୁଜରେ ପ୍ରସାରଣ ପରେ ନିକଟରେ ଭୁବନେଶ୍ୱର ପୂର୍ତ ବିଭାଗର ଜଣେ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ ହୋଇଥିଲେ ।
ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜଳସଂପଦ ବିଭାଗର ଭୁବନେଶ୍ୱର ମେକାନିକାଲ ଡିଭିଜନରେ ୧୦ ବର୍ଷ ଭିତରେ ପ୍ରାୟ ୭୦ କୋଟି ଟଙ୍କାର କାମକୁ ଏଭଳି ୫ ଲକ୍ଷ ଟଙ୍କା ତଳକୁ ରଖି ଖଣ୍ଡ ଖଣ୍ଡ ଭାବେ ବାଂଟି ଦିଆଯାଇଥିବା ବେଳେ ୫ ଯୋଡ଼ା ସ୍ୱାମୀ-ସ୍ତ୍ରୀଙ୍କୁ ପ୍ରାୟ ଅଧା କାମ ବାଂଟି ଦିଆଯାଇଛି । ଅଧିକାଂଶ ସ୍ୱାମୀ, ସ୍ତ୍ରୀଙ୍କ ନାଁରେ ଜାଲ କାଗଜପତ୍ର କରି କାମ ହାତେଇ ନେଇଥିବା ଇଂଟରନାଲ ଅଡିଟ ଧରିିଛି । ଆଉ ଏଭଳି ଚଂଚକତାରେ ଲିପ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଇଂଜିନିୟର ରାମନାରାୟଣ ମହାନ୍ତିଙ୍କ ବିରୋଧରେ ଭିଜିଲାନସ ୮ ମାସ ତଳୁ ମୋକଦ୍ଦମା କରିବା ପାଇଁ ଅନୁମତି ମାଗିଥିଲେ ସୁଦ୍ଧା ତାଙ୍କୁ ଦଣ୍ଡ ଦେବା ବଦଳରେ ଫେବ୍ରୁଆରୀ ମାସରେ ମୁଖ୍ୟଯନ୍ତ୍ରୀ ଭାବେ ପଦୋନ୍ନତି ଦିଆଯାଇଛି ।
ନଜର ପକାନ୍ତୁ ଭୁବନେଶ୍ୱର ମେକାନିକାଲ ଡିଭିଜନରେ ୨୦୧୪ରୁ ୨୦୧୮ ମଧ୍ୟରେ କାମ କରିଥିବା ୪ ଯୋଡ଼ା ସ୍ୱାମୀ-ସ୍ତ୍ରୀ ତାଲିକା ଉପରେ
୧. ସ୍ୱାମୀଙ୍କ ନାଁରେ ରହିଛି ମେସର୍ସ ସୁମନ ଏଂଟରପ୍ରାଇଜେସ୍ ଆଉ ସ୍ତ୍ରୀଙ୍କ ନାଁରେ ରହିଛି ଏସପିଏସ ଇଣ୍ଡଷ୍ଟ୍ରି
୨. ସ୍ୱାମୀଙ୍କ ନାଁରେ ରହିଛି ମେସର୍ସ ଆଶ୍ରୀବାଦ ଫେବ୍ରିକେଟର ଆଉ ସ୍ତ୍ରୀଙ୍କ ନାଁରେ ରହିଛି ଆବିର୍ଭାବ ଷ୍ଟିଲ ପ୍ରଡକ୍ଟ
୩. ସ୍ୱାମୀଙ୍କ ନାଁରେ ରହିଛି ଏଜେନସି ଦାଶ ଏଂଟରପ୍ରାଇଜର୍ସ ଆଉ ସ୍ତ୍ରୀଙ୍କ ନାଁରେ ରହିଛି ରେଣ୍ୁବାଳା ଏଂଟରପ୍ରାଇଜର୍ସ
୪. ସ୍ୱାମୀଙ୍କ ନାଁରେ ରହିଛି ବି. ବି. ଇଣ୍ଡଷ୍ଟ୍ରିଜ୍ ଆଉ ସ୍ତ୍ରୀଙ୍କ ନାଁରେ ରହିଛି ଏସଏସ ଇଣ୍ଡଷ୍ଟ୍ରିଜ୍
ଏହି ୪ ଯୋଡ଼ା ସ୍ୱାମୀ-ସ୍ତ୍ରୀଙ୍କୁ ଏହି ୨୦ କୋଟି ୧୫ ଲକ୍ଷ ଟଙ୍କାର କାମକୁ ୫ ଲକ୍ଷ ଟଙ୍କା ତଳକୁ ରଖିବାକୁ ଯାଇ ୧୪୩୩ ଖଣ୍ଡରେ ବାଂଟି ଦିଆଯାଇଛି । ଅଡିଟ ରିପୋର୍ଟ ଅନୁସାରେ ପ୍ରାୟ ୧୦ ବର୍ଷ ଭିତରେ ହୋଇଥିବା ଏହି କାମରେ ଅନେକ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ଭିତରେ ମୁଖ୍ୟ ଅଭିଯୁକ୍ତ ଥିଲେ ଭୁବନେଶ୍ୱର ମେକାନିକାଲ ଡିଭିଜନର ତତକାଳୀନ ନିର୍ବାହୀ ଯନ୍ତ୍ରୀ ରାମନାରାୟଣ ମହାନ୍ତି ଓ ବର୍ତମାନର ନିର୍ବାହୀ ଯନ୍ତ୍ରୀ ଭକ୍ତ ନାଇକ । ଏନେଇ ଦୁଇ ବର୍ଷ ତଳେ ଲୋକାୟୁକ୍ତରେ କେସ ହେବା ପରେ ଭିଜିଲାନସ ଏହାର ତଦନ୍ତ କରୁଛି ।
ହୀରାକୁଦ ଡିଭିଜନରେ ନିର୍ବାହୀ ଯନ୍ତ୍ରୀ ରୂପେ କାମ କରୁଥିବା ବେଳେ ଇଂ. ରାମନାରାୟଣ ମହାନ୍ତି ଏଭଳି ୩ କୋଟି ଟଙ୍କା କାମ ବଂଟନରେ ସଂପୃକ୍ତ ଥିବାର ଅଭିଯୋଗ ଥିଲା । ଭିଜିଲାନସ ଏହାର ତଦନ୍ତ କରି ତାଙ୍କ ନାଁରେ ମୋକଦ୍ଦମା ପାଇଁ ୮ ମାସ ତଳୁ ଅନୁମୋଦନ ମାଗିଛି । ହେଲେ ସାଧାରଣ ପ୍ରଶାସନ ବିଭାଗ ବା ଜିଏ ଡିପାର୍ଟମେଂଟ ଏ ନେଇ ଅନୁମୋଦନ ଦେଇନଥିବା ବେଳେ ତାଙ୍କୁ କୌଣସି ଭାବେ ଦଣ୍ଡିତ କରାଯାଇନାହିଁ । ବରଂ ଫେବ୍ରୁଆରୀ ମାସରେ ରାମନାରାୟଣ ମହାନ୍ତିଙ୍କୁ ସୁପରିଟେଂଡେଟ୍ ଇଂଜିନିୟରରୁ ଚିଫ ଇଂଜିନିୟର ଭାବେ ପଦୋନ୍ନତି ଦିଆଯାଇଛି ।