ମାତ୍ରାଧିକ ବସ୍ ଭଡା ଆଦାୟକୁ ନେଇ ସରକାରଙ୍କ କଡା ଆଭିମୁଖ୍ୟ: ଜୁଲାଇରେ ଧାର୍ଯ୍ୟ ଦରଠୁ ଅଧିକ ଆଦାୟ ନକରିବା ପାଇଁ ବିଜ୍ଞପ୍ତି ଜାରି କଲା ପରିବହନ ବିଭାଗ

କହିଲେ ଖିଲାପ କଲେ ବାତିଲ ହେବ ପରମିଟ

182

କନକ ବ୍ୟୁରୋ: ଯାତ୍ରୀବାହୀ ବସ ଗୁଡିକ ଯାତ୍ରୀଙ୍କ ଠାରୁ ଅତ୍ୟଧିକ ଭଡା ଆଦାୟ କରୁଥିବା ନେଇ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି ରାଜ୍ୟ ସରକାର । ପରିବହନ କମିସନରଙ୍କ କାର୍ଯ୍ୟାଳୟ କହିଛନ୍ତି, କିଛି କିଛି ଯାତ୍ରୀବାହୀ ବସ ମାତ୍ରାଧିକ ଭଡା ଆଦାୟ କରୁଛନ୍ତି । ଯଦି ଏଭଳି ସେମାନେ ଜାରି ରଖନ୍ତି ତେବେ ତାଙ୍କ ବସର ପରମିଟ ବାତିଲ କରାଯିବ । ଏହାସହ ଭୁବନେଶ୍ୱରରୁ କେଉଁ ଜିଲ୍ଲାକୁ ଯିବା ପାଇଁ କେତେ ଟିକେଟ ଦର ରହିବ ସେନେଇ ଏକ ଚାର୍ଟ ପ୍ରସ୍ତୁତ କରିଛନ୍ତି ।

ଗତ ଜୁଲାଇ ମାସରେ ଯେଉଁ ବସଭଡା ଦର ସ୍ଥିର ହୋଇଥିଲା ତାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ କମିସନର । ଯଦି କେହି ଏହାବାଦ ଅଧିକ ଅର୍ଥ ଯାତ୍ରୀଙ୍କ ଠାରୁ ଆଦାୟ କରନ୍ତି ତେବେ ସେହି ବସର ପରିମିଟ ବାତିଲ କରାଯିବ ବୋଲି କହିଛନ୍ତି । ଏହି ଆଧାରରେ ସାଧାରଣ ବସ ଯାତ୍ରୀଙ୍କ ଠାରୁ କିଲୋମିଟର ପିଛା  ୭୨ପଇସା ଆଦାୟ କରିପାରିବେ । ଏକ୍ସପ୍ରେସ ବସ ପାଇଁ ଏହି ଦର ହେଉଛି କିଲୋମିଟର ପିଛା ୭୫ପଇସା । ଡିଲକ୍ସ ବସ ପାଇଁ କିଲୋମିଟର ପିଛା ୧ଟଙ୍କା ୫ପଇସା ଯାତ୍ରୀଙ୍କୁ ଦେବାକୁ ପଡିବ । ଆଉ ଏସି ଡିଲକ୍ସ ପାଇଁ ବସ ଭଡା କିଲୋମିଟର ପିଛା ଦର ହେଉଛି ୧ଟଙ୍କା ୨୭ପଇସା ।