ରାଜ୍ୟରେ ଟିକାକରଣକୁ ନେଇ ମାର୍ଗଦର୍ଶିକା ଜାରି କଲା ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ଜିଲ୍ଲାପାଳ, ମହାନଗର ନିଗମଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି ।

65

କନକ ବ୍ୟୁରୋ : ଓଡ଼ିଶାରେ ଆସନ୍ତା ୧୬ ତାରିଖରୁ କରୋନା ଟିକାଦାନ କାର୍ୟ୍ୟକ୍ରମ ଆରମ୍ଭ ହେବ । ଏଥିପାଇଁ ରାଜ୍ୟକୁ ପ୍ରାୟ ୪ ଲକ୍ଷ ୮ ହଜାର ଡୋଜ୍ କୋଭିସିଲଡ ଟିକା ଓ ପ୍ରାୟ ୨୦ ହଜାର ଡୋଜ୍ କୋଭାକ୍ସିନ ଟିକା ଆସିପହଞ୍ଚିଛି । ୧୬ ତାରିଖରେ ରାଜ୍ୟର ୧୬୦ଟି ଟିକାଦାନ କେନ୍ଦ୍ରରେ ଏହି ଟିକାଦାନ ଅନୁଷ୍ଠିତ ହେବ । ଏହି ଟୀକାଦାନ କାର୍ୟ୍ୟକ୍ରମ ଲାଗି ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି ।

ପ୍ରତି କୋଭିସିଲଡ ଭାୟାଲ(ସିସି) ରେ ୧୦ଟି ଡୋଜ ଓ ପ୍ରତି କୋଭାକ୍ସିନ ଭାୟାଲରେ ୨୦ଟି ଡୋଜ୍ ରହିଛି । ଗୋଟିଏ ଭାୟାଲ ଖୋଲିବା  ପରେ ସେଥିରେ ଥିବା ସବୁ ଡୋଜର ଉପଯୋଗ କରିବାକୁ ହେବ । ଭାୟାଲ ବା ସିସି ଖୋଲିବାର ୪ ଘଣ୍ଟା ମଧ୍ୟରେ ତାହାକୁ ବ୍ୟବହାର କରିବାକୁ ହେବ । ରାଜ୍ୟକୁ ସୀମିତ ସଂଖ୍ୟକ ଟିକା ଆସିଥିବାରୁ ଟିକା ଯେପରି ନଷ୍ଟ ନହୁଏ ସେ ପ୍ରତି ଯତ୍ନବାନ ହେବାକୁ ପଡ଼ିବ । ଟିକା ବଣ୍ଟନ ବେଳେ, ଜିଲ୍ଲା ଟିକା ଭଣ୍ଡାର ଓ କୋଲଡ ଚେନ ପଏଣ୍ଟରେ ଫାଷ୍ଟ ଏକ୍ସପାରୀ ଓ ଫାଷ୍ଟ ୟୁଜ୍ ନୀତି ଅବଲମ୍ବନ କରିବାକୁ ହେବ ।

ରାଜ୍ୟକୁ ଆସିଥିବା ଟିକାର ଅର୍ଦ୍ଧେକ ପ୍ରଥମ ପର୍ୟ୍ୟାୟ ଟିକାଦାନ ବେଳେ ଜିଲ୍ଲାଗୁଡ଼ିକୁ ଯୋଗାଇ ଦିଆଯିବ । ଅବଶିଷ୍ଟ ଅର୍ଦ୍ଧେକ ଟିକା ୨୮ ଦିନ ପରେ ହେବାକୁ ଥିବା ୨ୟ ପର୍ୟ୍ୟାୟ ଟିକାଦାନ ବେଳେ ଯୋଗାଇଦିଆଯିବ । କୋଭାକ୍ସିନ ଟିକାକୁ ୩୦ଟି ଯାକ ଜିଲ୍ଲାକୁ ଯୋଗାଇ ଦିଆଯାଇଥିବା ବେଳେ କୋଭାକ୍ସିନ ଟିକା କେବଳ ବିଏମସି କୁ ପ୍ରଦାନ କରାଯିବ ।

ଟିକା ଦିଆଯିବାକୁ ଥିବା ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକା ଉପଲବ୍ଧତା ଅନୁସାରେ ସେସନ ପ୍ଲାନିଂ କରାଯିବ । ଟିକା ନେବାକୁ ଥିବା ବ୍ୟକ୍ତିମାନଙ୍କୁ ଅଲଗା ଅଲଗା ସମୟରେ ଟିକା ଦିଆଯିବ ଯେପରିକି ଟିକାଦାନ କେନ୍ଦ୍ରରେ ଭୀଡ଼ ଜମିବ ନାହିଁ । ଟିକା ଦିଆଯାଉଥିବା ସ୍ବାସ୍ଥ୍ୟକେନ୍ଦ୍ରର ସବୁ କର୍ମଚାରୀଙ୍କ ପାଇଁ ଅର୍ଥାତ ସଫାଇ କର୍ମଚାରୀଙ୍କଠାରୁ ଆରମ୍ଭ କରି ଡାକ୍ତରଙ୍କ ପର୍ୟ୍ୟନ୍ତ ଟିକା ଯୋଗାଇ ଦିଆଯିବ । ଯଦି ଗୋଟିଏ ସ୍ବାସ୍ଥ୍ୟକେନ୍ଦ୍ରକୁ ଦିଆଯାଇଥିବା ଟିକା ସଂଖ୍ୟା କର୍ମଚାରୀ ସଂଖ୍ୟାଠାରୁ କମ ରହେ, ତେବେ ବୟସ୍କ କର୍ମଚାରୀଙ୍କୁ ଅଗ୍ରାଧିକାର ଦିଆଯିବ ।