କନକ ବ୍ୟୁରୋ: କଥାରେ ଅଛି ଏକତା ହିଁ ବଳ । ମହିଳାମାନେ ଏକାଠି ହୋଇ ପ୍ରସ୍ତୁତ କରୁଛନ୍ତି ଘରକରଣା ସାମଗ୍ରୀ । ଘର କାମ ସାରିବା ପରେ ଆଖପାଖ ଅଞ୍ଚଳର ପ୍ରାୟ ୨୫ ଜଣ ମହିଳା ଏକାଠି ହୁଅନ୍ତି । ଆଉ କତାରେ ପ୍ରସ୍ତୁତ କରନ୍ତି ସୁନ୍ଦରସୁନ୍ଦର ଘର ସଜା ସାମଗ୍ରୀ । ଏହା କୌଣସି ମେସିନରେ ନୁହେଁ ମହିଳାମାନେ ନିଜ ହାତରେ ଅକ୍ଳାନ୍ତ ପରିଶ୍ରମ କରି ଏହି ସୁକ୍ଷ୍ମ କାରିଗରୀ ପ୍ରସ୍ତୁତ କରୁଛନ୍ତି । ନଡ଼ିଆ କତାରେ କଳସ, ହାତୀ, ଘୋଡ଼ା, କଦଳୀ ଗଛ, ହରିଣ. କଇଁଛ, ବାଇଆ ଚଢ଼େଇ ବସା, କଣ୍ଢେଇ ଓ ପାପୋଛ ତିଆରି କରୁଛନ୍ତି । ଏହା ସହ ବିଭିନ୍ନ ପ୍ରକାରର ଘର ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ କରି ଜିଲ୍ଲା ତଥା ଜିଲ୍ଲା ବାହାରେ ବିକ୍ରି କରୁଛନ୍ତି । ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ଏହି ସାମଗ୍ରୀ ବିକ୍ରି କରାଯାଉଛି । କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ଅଳାଇଲୋ ଗାଁରେ ଏକ କୟର ପ୍ରଡ୍ୟୁସର ଗ୍ରୁପ୍ ଗଠନ କରି ୨୫ ଜଣ ମହିଳା କାମ କରୁଛନ୍ତି । ୨୦୧୫ରେ ଏହି ଗ୍ରୁପ ଗଠନ ହୋଇଥିବା ବେଳେ ନୁଆ କିଛି ସାମଗ୍ରୀ ପ୍ରସ୍ତୁତ କରି ଆତ୍ମନିର୍ଭରଶୀଳ ହେବା ଏହି ଗ୍ରୁପର ମୂଳ ଲକ୍ଷ୍ୟ ରହିଥିଲା । ଯାହା ଏବେ ସଫଳ ହୋଇଛି ।

Advertisment

କରୋନା ମହାମାରୀ ସମୟରେ ବ୍ୟବସାୟରେ ବାଧା ସୃଷ୍ଟି ହୋଇଥିଲା । କଂଚାମାଲ ଅଭାବରୁ ସମସ୍ୟା ଭୋଗିଥିଲେ ଏହି ଗ୍ରୁପର ସଦସ୍ୟା । ମହାମାରୀର ପ୍ରକୋପ କମିବା ପରେ ୨୦୨୨ରେ ପୁଣି କାମ ଆରମ୍ଭ କରିଥିଲେ । ଏହି ସବୁ ଜିନିଷ ସାଇଜ ଅନୁସାରେ ବିକ୍ରି ହୋଇଥାଏ । କତାରେ ତିଆରି ହାତୀ ୮୦ରୁ ୨୦୦ରୁ ଟଙ୍କା, କଦଳୀ ଗଛ ୧୦୦ ଟଙ୍କା, ହରିଣ ୮୦ରୁ ୧୦୦ ଟଙ୍କା, କଇଁଛ ୪୦ ଟଙ୍କା, ବାଇଆ ଚଢ଼େଇ ବସା ୮୦ରୁ ୧୦୦ ଟଙ୍କା, ପାପୋଛ ୫୦ରୁ ୧୮୦ ଟଙ୍କାରେ ବଜାରରେ ବିକ୍ରି କରାଯାଉଛି । ଏହି ସବୁ ସାମଗ୍ରୀ ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା ନଡ଼ିଆ କତା ପୁରୀ ସାତଶଂଖ ଅଂଚଳରୁ କିଣିବାକୁ ପଡ଼ୁଛି । ନଡ଼ିଆ କତା କିଲୋପ୍ରତି ୪୦ରୁ ୪୫ ଟଙ୍କାରେ କିଣୁଛନ୍ତି ମହିଳା । କଣ୍ଢେଇ ତିଆରି କରିବା ପାଇଁ ଓଡ଼ିଶା ଜୀବୀକା ମିଶନ ପକ୍ଷରୁ ପ୍ରୋତ୍ସାହନ ରାଶି ମିଳୁଥିବା ବେଳେ ବିକ୍ରିବଟା ସୃଷ୍ଟି ହେଉଛି ସମସ୍ୟା ।

ନଡ଼ିଆ କତାରେ ତିଆରି ହେଉଥିବା ବିଭିନ୍ନ ପ୍ରକାର ସାମଗ୍ରୀର ଚାହିଦା ବଜାରରେ ରହିଥିବା ବେଳେ ବିକ୍ରି କରିବା ପାଇଁ କିଛି ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ମହିଳା । କେବଳ ମେଳା ମହୋତ୍ସବରେ ଏହାକୁ ବିକ୍ରି କରିବାକୁ ସୁଯୋଗ ମିଳୁଥିବା ବେଳେ ଅନ୍ୟସମୟରେ ବିକ୍ରି କରିବାରେ ସୃଷ୍ଟି ହେଉଛି ସମସ୍ୟା ।