ମମିତାଙ୍କ ପରିବାରକୁ ଭେଟିଲେ କଂଗ୍ରେସର ଦିଲ୍ଲୀ ଟିମ୍ । ସୂର୍ଯ୍ୟେୱାଲା କହିଲେ, ପରିବାରର କାନ୍ଦ ଶୁଣିଲେ ଶୋଇପାରିବେନି ମୁଖ୍ୟମନ୍ତ୍ରୀ ।

104

କନକ ବ୍ୟୁରୋ: ମମିତା ମେହେର ହତ୍ୟା ମାମଲାରେ ସତେ ଯେମିତି ବିରୋଧୀଙ୍କୁ ସଞ୍ଜୀବନୀ ମିଳିଛି । ପ୍ରାୟ ପ୍ରତ୍ୟେକ ଦିନ ରାସ୍ତାକୁ ଓହ୍ଳାଇ ବିକ୍ଷୋଭ ଓ ପ୍ରତିବାଦ କରୁଛନ୍ତି ବିରୋଧୀ । ଖାଲି ସେତିକି ନୁହେଁ ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ମଧ୍ୟ ଦାବି କରୁଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସରକାର ନୀରବ ରହୁଛନ୍ତି । ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୁର୍ଯ୍ୟେୱାଲା ଓ ଚେଲ୍ଲାକୁମାରଙ୍କ ନେତୃତ୍ୱରେ ଦଳର ଏକ କେନ୍ଦ୍ରୀୟ ଟିମ ମମିତାଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ । ତାଙ୍କୁ ଭେଟିବା ପରେ ସୂର୍ଯ୍ୟେୱାଲା କହିଥିଲେ, ପରିବାରର କାନ୍ଦ ଯଦି ମୁଖ୍ୟମନ୍ତ୍ରୀ ଦେଖିବେ, ତେବେ ତାଙ୍କୁ ରାତିରେ ନିଦ ହେବନାହିଁ ।

ଗତ କିଛି ବର୍ଷ ଭିତରେ ବୋଧହୁଏ କୌଣସି ଘଟଣାକୁ ନେଇ ବିରୋଧୀ ଏମିତି ପ୍ରତିବାଦ କରିଥିବା ଦେଖିବାକୁ ମିଳିନଥିଲା । କିନ୍ତୁ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ୯ ଦିନ ହେଲା ଜାରି ରଖିଛନ୍ତି ଆନ୍ଦୋଳନ । ଭୁବନେଶ୍ୱରରୁ ଭବାନୀପାଟଣା, ବଲାଙ୍ଗୀରରୁ ବ୍ରହ୍ମପୁର ସବୁଠି ଚାଲିଛି ପ୍ରତିବାଦ, ଶୋଭାଯାତ୍ରା, ବିକ୍ଷୋଭ ।

ବିରୋଧୀଙ୍କ ଆନ୍ଦୋଳନ ତୀବ୍ର ହୋଇଥିଲେ ମଧ୍ୟ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାଁନ୍ତି ସରକାର । ଏହାକୁ ନେଇ ବିରୋଧୀ ଆହୁରି ଆକ୍ରମଣାତ୍ମକ ହୋଇପଡିଥିବା ଦେଖିବାକୁ ମିଳୁଛି । ଆନ୍ଦୋଳନରେ ସାମିଲ ହୋଇଛନ୍ତି କଂଗ୍ରେସର କେନ୍ଦ୍ରୀୟ ନେତା । ଦଳର ବରିଷ୍ଠ ନେତା ରଣଦୀପ ସୂର୍ଯ୍ୟେବାଲା ଓ ଡି ଚେଲ୍ଲାକୁମାର ମମିତାଙ୍କ ଗାଁକୁ ଯାଇ ତାଙ୍କ ପରିବାରକୁ ଭେଟିଛନ୍ତି । ଆଉ ତାଙ୍କୁ ଭେଟିବା ପରେ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଆଉ ଦାବି ରଖି କହିଛନ୍ତିି…

  • ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ପଦରୁ ବହିଷ୍କାର କରାଯାଉ, ତାଙ୍କ ବିରୋଧରେ ମାମଲା ରୁଜୁ ହେଉ
  • ମାମଲାର ଏସଆଇଟି ତଦନ୍ତ ହେଉ
  • ମମିତାଙ୍କ ପରିବାରକୁ ୧କୋଟି ଟଙ୍କା କ୍ଷତିପୂରଣ ଦିଆଯାଉ

ଅନ୍ୟପଟେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଓ ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ ଭୁବନେଶ୍ୱର ଡିସିପି ଅଫିସ ଘେରାଉ କରାଯାଇଛି । ଶୋଭାଯାତ୍ରା କରିବା ସମୟରେ ବିଜେପି କର୍ମୀଙ୍କ ସହ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା । ସେହିପରି ଗଞ୍ଜାମ ଛତ୍ରପୁରରେ ଏସପି ଅଫିସ ଘେରାଉ କରିଛନ୍ତି ବିଜେପି କର୍ମୀ । ବ୍ୟାରିକେଡ ଭାଙ୍ଗି ଏସପି ଅଫିସକୁ ପଶିବାକୁ ଉଦ୍ୟମ କରିବାବେଳେ ବିଜେପି କର୍ମୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ସେହିପରି ମାଲକାନଗିରି ,ନବରଙ୍ଗପୁର ଓ ଗଜପତି ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରତିବାଦ କରିଛି ବିଜେପି । ନୂଆପଡା ଓ ସୁବର୍ଣ୍ଣପୁରରେ ବନ୍ଦ ପାଳନ ହୋଇଛି ।

ବିରୋଧୀଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ କିଶୋର ମହାନ୍ତି । କହିଛନ୍ତି, ଘଟଣାର ତଦନ୍ତ ଚାଲିଛି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯିଏ ଦୋଷୀ ସିଏ ଦଣ୍ଡ ପାଇବ । ସୂଚନାଯୋଗ୍ୟ ଯେ, ମମିତା ମେହେର ହତ୍ୟାକାଣ୍ଡରେ ପୋଲିସର କାର୍ଯ୍ୟ ସବୁଠାରୁ ଅଧିକ ସନ୍ଦେହରେ ଥିବାବେଳେ, ପୋଲିସ ଡିଜି କିନ୍ତୁ ଚୁପ୍ ରହିଛନ୍ତି । ବିଧାନସଭା ଗୃହ ବିଭାଗର ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗ ଦେବାକୁ ଆସିଥିବାବେଳେ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ ବି କୌଣସି ଉତ୍ତର ନଦେଇ ଚାଲି ଯାଇଥିଲେ ଡିଜି ।