କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଚିଠି । ଦିଲ୍ଲୀର ପାଣି ସମସ୍ୟାର ସମାଧାନ କରିବାକୁ ଜଳ ବିଭାଗକୁ ଜେଲରେ ଥାଇ ନିର୍ଦ୍ଦେଶ ଦେଇଛନ୍ତି କେଜ୍ରିୱାଲ । ଇଡି ହେପାଜତରେ ଥାଇ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ନିର୍ଦ୍ଦେଶ । ସେ ତାଙ୍କ ନିର୍ଦ୍ଦେଶନାମାରେ ଲେଖିଛନ୍ତି, ଖରା ଆସିଲାଣି । ଏପରି ସ୍ଥିତିରେ ପାଣି ସମସ୍ୟାକୁ ନେଇ ଦିଲ୍ଲୀବାସୀ ଚିନ୍ତିତ ହେବା ଉଚିତ ନୁହେଁ । ଆବଶ୍ୟକ ପରିମାଣରେ ଟ୍ୟାଙ୍କର ଯୋଗେ ପାଣି ଯୋଗେଇ ଦେବା ଉଚିତ । ଲୋକମାନେ ଯେପରି କୌଣସି ସମସ୍ୟାରେ ନପଡିବେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କେଜ୍ରିୱାଲ । ଏପରିକି ଆବଶ୍ୟକ ପଡିଲେ ଉପ ରାଜ୍ୟପାଳଙ୍କ ସହଯୋଗ ଲୋଡିବାକୁ କେଜ୍ରିୱାଲ କହିଛନ୍ତି । ଏବେ ଏହି ଚିଠିକୁ ପଢି ଭାବ ବିହ୍ୱଳ ହୋଇଛନ୍ତି ବିଭାଗୀୟ ମନ୍ତ୍ରୀ ଆତିଶୀ । ସେ କହିଛନ୍ତି, ଜେଲରୁ ଥାଇ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ରଖିଛନ୍ତି ।

  • ଗିରଫଦାରୀକୁ ବିରୋଧ କରି ଆପର ଗର୍ଜନ
  • ‘ମୁଁ ବି କେଜ୍ରିୱାଲ’ ନାରା ଦେଲା ଆମ୍ ଆଦମୀ ପାର୍ଟି
  • ମାର୍ଚ୍ଚ ୩୧ରେ ‘ଇଣ୍ଡିଆ’ ମେଣ୍ଟର ବିଶାଳ ରାଲି

ଅରବିନ୍ଦ କେଜ୍ରିୱାଲଙ୍କ ଗିରଫକୁ ବେଆଇନ୍ କହି ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ଜୋରଦାର ପ୍ରତିବାଦ କରିଛି । ନିର୍ବାଚନ ପୂର୍ବରୁ ପ୍ରଚାର କାର୍ଯ୍ୟରୁ ଦୂରେଇ ରଖିବାକୁ ବିଜେପି ଷଡଯନ୍ତ୍ର କରିଛି ବୋଲି ଦଳ କହିଛି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ମୁଁ ବି କେଜ୍ରିୱାଲ ନାରା ଦେଇ ଗର୍ଜିଛି ଆମ୍ ଆଦର୍ମୀ ପାର୍ଟି । ଅନ୍ୟପଟେ ବିଜେପି ମଧ୍ୟ କେଜ୍ରିୱାଲଙ୍କ କୁଶ ପୁତ୍ତଳିକ ଦାହ କରିଛି । ସେପଟେ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ମାର୍ଚ୍ଚ ୩୧ରେ ଇଣ୍ଡିଆ ମେଣ୍ଟ ଦିଲ୍ଲୀର ରାମଲୀଳା ମୈଦାନରେ ବିଶାଳ ରାଲି କରିବାକୁ ଯାଉଛି । ବିରୋଧୀ ମେଣ୍ଟ ରାଲି ଜରିଆରେ ଶାସକ ଦଳ ବିଜେପି ବିରୋଧରେ ବଡ ବାର୍ତ୍ତା ଦେବାକୁ ଲକ୍ଷ୍ୟ ରଖିଛନ୍ତି ।

ତେବେ ବିରୋଧୀ ନେତାଙ୍କ ମଧ୍ୟରେ କେଜ୍ରିୱାଲ ହେଉଛନ୍ତି ଅନ୍ୟତମ ନେତା ଯିଏକି ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ସମୟରେ କଡା ସମାଲୋଚନା କରନ୍ତି । ଆଉ ଏବେ ନିର୍ବାଚନ ବେଳେ ସେ ଗିରଫ ହେବା, ପଲ୍ଲୀରୁ ଦିଲ୍ଲୀ ରାଜନୀତି ସରଗରମ ହୋଇଛି ।