କାମ ଦେଲାନି କଟକଣା । ସାରାରାତି ବାଣ ଫୁଟାଇବା ପରେ ବିଷାକ୍ତ ହେଲା ଦିଲ୍ଲୀ ଜଳବାୟୁ

95

କନକ ବ୍ୟୁରୋ: ଅଣନିଶ୍ୱାସୀ ଦିଲ୍ଲୀ ବାସିନ୍ଦା । ସର୍ବୋଚ୍ଚ ନାୟାଳୟ ଓ ପ୍ରଶାସନର କଟକଣାକୁ ଅମାନ୍ୟ କରିବା ଫଳ ସେମାନଙ୍କୁ ହିଁ ଭୋଗିବାକୁ ପଡିଛି । ଦୀପାବଳି ଅବସରରେ ସର୍ବୋଚ୍ଚ ନାୟାଳୟଙ୍କ ଆଦେଶକୁ ଅମାନ୍ୟ କଲେ ଲୋକେ । ଆଉ ସାରା ରାତି ଜବରଦସ୍ତ ବାଣ ଫୁଟାଇ ଦୀପାବଳି ଉତ୍ସବ ପାଳନ କଲେ । ଫଳରେ ଶୁକ୍ରବାର ସକାଳୁ ରାଜଧାନୀ ଦିଲ୍ଲୀ ବିଷାକ୍ତ ବାୟୁରେ ଘୋଡେଇ ରହିଥିବା ଦେଖିବାକୁ ମିଳିଛି । ଶୁକ୍ରବାର ସକାଳେ ଜନପଥରେ ବାୟୁ ଗୁଣବତ୍ତା ସ୍ତର ୬୫୫.୦୭ରେ ପହଁଚି ଯାଇଥିବା ଦେଖିବାକୁ ମିଳିଛି । ଏହା ପ୍ରଭାବରେ ଲୋକଙ୍କ ଆଖି ଜଳିବା ସହ ଗଳା ଦରଜ ହେବା ପରି ଲକ୍ଷଣ ଦେଖାଦେଇଛି । ଏପରିକି ନିଶ୍ୱାସ ନେବାରେ ବି କଷ୍ଟ ଅନୁଭବ କରୁଛନ୍ତି ଲୋକେ । ଗାଜିଆବାଦ, ନଏଡା ଭଳି ଦିଲ୍ଲୀର ଆଖପାଖ ସହରରେ ବି ବିଷାକ୍ତ ବାୟୁର ଆସ୍ତରଣ ଦେଖିବାକୁ ମିଳିଛି ।

ଦୀପାବଳିରେ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଥିଲେ ସର୍ବୋଚ୍ଚ ନାୟାଳୟ । କେବଳ ସେତିକି ନୁହେଁ ସାରା ଦେଶରେ ରାତି ୧୦ଟା ପର୍ଯ୍ୟନ୍ତ ହିଁ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଥିଲା । ହେଲେ ଲୋକେ ଏହି ନିୟମକୁ ବେଖାତିର କରି ସାରା ରାତି ବାଣ ଫୁଟାଇଛନ୍ତି । କେବଳ ରାଜଧାନୀ ଦିଲ୍ଲୀ ନୁହେଁ ମୁମ୍ବାଇରେ ମଧ୍ୟ ଲୋକେ ଜବରଦସ୍ତ ବାଣ ଫୁଟାଇଛନ୍ତି । ଫଳରେ ସହରରେ ବାୟୁ ପ୍ରଦ୍ୟୁଷଣ ସମସ୍ୟା ସୃଷ୍ଟି ହୋଇଛି । ଗତ ବର୍ଷ କରୋନ କଟକଣା ଯୋଗୁ ଦୀପାବଳି ଉତ୍ସବ ପ୍ରଭାବିତ ହୋଇଥିଲା । ଏ ବର୍ଷ କିନ୍ତୁ ସରକାର କଟକଣାକୁ ସାମାନ୍ୟ କରି ଲୋକଙ୍କୁ ଆଶ୍ୱସ୍ଥି ଦେଇଥିଲେ । କିନ୍ତୁ ଲୋକେ କଟକଣାକୁ ବିଲକୁଲ ଖାତିର କରି ନଥିଲେ ।

  • ବାୟୁର ଗୁଣବତ୍ତା ୫୦ ମଧ୍ୟରେ ରହିଲେ ଏହାକୁ ଭଲ କୁହାଯାଏ
  • ୧୦୦ରୁ ୨୦୦ ମଧ୍ୟରେ ରହିଲେ ଏହାକୁ ମଧ୍ୟମ ଧରଣର, ହେଲେ ଲୋକଙ୍କ ବ୍ୟବହାର ଯୁକ୍ତ ବୋଲି କୁହାଯାଏ
  • ମାତ୍ର ଏହା ୩୦୦ ଅତିକ୍ରମ କଲେ ଏହାକୁ ଖରାପ ଓ ପ୍ରଦୂଷଣ ଯୁକ୍ତ ବୋଲି ଧରାଯାଏ
  • ୩୦୦ ରୁ ୪୦୦ ବହୁତ ଖରାପ ଓ ୫୦୦ ଅତିକ୍ରମ କଲେ ଏହାକୁ ଗମ୍ଭୀର ଶ୍ରେଣୀରେ ବିବେଚନା କରାଯାଏ

ଲୋକଙ୍କ ଖାମଖିଆଲି ମନୋଭାବର ପରିଣାମ ଏବେ ସାରା ଦିଲ୍ଲୀବାସୀଙ୍କୁ ଭୋଗିବାକୁ ପଡିଛି । ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରା ଇଣ୍ଡେକ୍ସ ବୋର୍ଡରେ ୬ଶହ ଅତିକ୍ରମ କରି ସାରିଛି । ଏଠାରେ ପ୍ରଶ୍ନ ଉଠୁଛି କେବେ ସୁଧୁରିବେ ଦିଲ୍ଲୀବାସୀ ।