ଶ୍ରୀମନ୍ଦିର ଆଲୋକୀକରଣ ଓ ଲେଜର ସ୍କାନିଂ ନେଇ ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି । ଏଏସଆଇ ତତ୍ୱାବଧାନରେ ହେବ ଆଲୋକୀକରଣ ବ୍ୟବସ୍ଥା ।

66

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ହେବ ଆଲୋକୀକରଣ କାର୍ଯ୍ୟ । ରଥଯାତ୍ରା ସମୟରେ ମରାମତି କାର୍ଯ୍ୟ ଓ ଲେଜର ସ୍କାନିଂ କରାଯିବ ହେବ ବୋଲି ଛତିଶାନିଯୋଗ ବୈଠକରେ ନିଷ୍ପତି ନିଆଯାଇଛି । କୋଣାର୍କ ମନ୍ଦିରରେ ଲେଜର ସ୍କାନିଂ ବ୍ୟବସ୍ଥାର ସଫଳ ପରୀକ୍ଷଣ ପରେ ପୁରୀ ଶ୍ରୀମନ୍ଦିରରେ ଏହା କରିବା ପାଇଁ ଆଲୋଚନା ହୋଇଛି ।

ଏହି ବ୍ୟବସ୍ଥା କଣ ଓ କିଭଳି କରାଯିବ, ସେ ସଂପର୍କରେ ସେବାୟତଙ୍କୁ ବୁଝାଇବା ପାଇଁ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନର ୨ ଜଣ ଇଂଜିନିୟର ନିୟୋଜିତ ରହିବେ । ଲେଜର ସ୍କାନିଂ ଦ୍ୱାରା ଶ୍ରୀମନ୍ଦିରର କେଉଁ ସ୍ଥାନରେ ପଥର ଦୁର୍ବଳ ରହିଛି, ତାହା ସହଜରେ ଜାଣିହେବ । ଶ୍ରୀମନ୍ଦିରରେ ଏହି ବ୍ୟବସ୍ଥା ନୂଆ ହୋଇଥିବାରୁ ଏ ସଂପର୍କରେ ଅଧିକ ବୈଠକ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।

ସେପଟେ ୮ଟି ରୂପା କବାଟ ମଧ୍ୟରୁ ୩ଟି କବାଟ କାର୍ଯ୍ୟ ମୁମ୍ବାଇରେ ଚାଲିଛି । ଏଏସଆଇର ଅନୁମୋଦନ ପରେ ପରୀକ୍ଷାମୂଳକ ଭାବେ ପ୍ରଥମ ୩ଟି ଦ୍ୱାର ଲଗାଯିବ ।