କନକ ବ୍ୟୁରୋ : ପୁରୀର ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଖୋଲିବା ନିଷ୍ପତି ପରେ ତାରିଣୀ ମନ୍ଦିର ଖୋଲିବାକୁ ଜୋର ଧରିଲା ଦାବି । କେନ୍ଦୁଝର ଘଟଗାଁର ପ୍ରସିଦ୍ଧ ତାରିଣୀ ମନ୍ଦିର ଖୁବଶୀଘ୍ର ଖୋଲିବା ପାଇଁ ଦାବି ରଖିଲେ ଶ୍ରଦ୍ଧାଳୁ । ଦୀର୍ଘ ୯ ମାସ ହେବ କରୋନା ମହାମାରୀ ଯୋଗୁଁ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଦ୍ୱାର ବନ୍ଦ ରହିଛି ।
ମନ୍ଦିର ବନ୍ଦ ପରେ ଭକ୍ତମାନେ ମାଙ୍କ ଦର୍ଶନରୁ ବଂଚିତ ରହିଛନ୍ତି । ସେହିପରି ମନ୍ଦିର ଉପରେ ନିର୍ଭରକରି ରୋଜଗାର କରୁଥିବା ବ୍ୟବସାୟୀ ଏବଂ ଅନ୍ୟାନ୍ୟ ଲୋକ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ମନ୍ଦିର ଦ୍ୱାର ସିନା ବନ୍ଦ ରହିଛି କିନ୍ତୁ ଏବେବି ଭକ୍ତ ଆସୁଛନ୍ତି । ଦୁଆର ମୁହଁରୁ ମାଙ୍କୁ ମୁଣ୍ଡିଆ ମାରି ଚାଲିଯାଉଛନ୍ତି ।
ତେବେ ସରକାର ପୁରୀ ଜଗନ୍ନାଥ ମନ୍ଦିର ଏବଂ ଭୁବନେଶ୍ୱରର ସମସ୍ତ ମନ୍ଦିର ଖୋଲିବା ନେଇ ନିଷ୍ପତି ନେବା ପରେ ମା ତାରୀଣୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ଅନୁମତି ଦେଲେ କୋଭିଡି ନିୟମକୁ ମାନି ମନ୍ଦିର ଖୋଲିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ପରିଚାଳଣା କମିଟି ସଭାପତି । ସେପଟେ ଜିଲ୍ଲାପାଳ କହିଛନ୍ତି, ମନ୍ଦିରର ପରିଚାଳନା କମିଟି ସହ ଆଲୋଚନା ପରେ ନିଷ୍ପତି ନିଆଯିବ ।