ନଭେମ୍ବର ମାସରେ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ : ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ; କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ନିଆଗଲା ନିଷ୍ପତ୍ତି

908

କନକ ବ୍ୟୁରୋ : ଏବେ ଖୋଲିବନି ନବମରୁ ଦ୍ୱାଦଶ ଶ୍ରେଣୀ । ଚଳିତମାସରେ ଏହି ଶ୍ରେଣୀ ଖୋଲିବା ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ରାଜ୍ୟରେ ଡିସେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ନେଇ ଆଶଙ୍କା ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ଆନ୍ଧ୍ରପ୍ରଦେଶ ସମେତ କେତେ ରାଜ୍ୟରେ ସ୍କୁଲ ଖୋଲିବା ପରେ ଶିକ୍ଷକ ଓ ଛାତ୍ରଛାତ୍ରୀ ବହୁମାତ୍ରାରେ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ଅନେକଙ୍କ ପାଇଁ ଚିନ୍ତା ବଢାଇଦେଇଥିଲା । ଚଳିତମାସରେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ଖୋଲିବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା । ତେବେ ଆନ୍ଧ୍ରରେ ଯେଭଳି ସଂକ୍ରମଣ ବଢୁଛି ସେଭଳି ସ୍ଥିତି ଆଶଙ୍କା କରି ନିଷ୍ପତ୍ତି ବଦଳାଯାଇଛି । କରୋନା ଯୋଗୁଁ ଚଳିତ ବର୍ଷ ମାର୍ଚ୍ଚରୁ ସ୍କୁଲ ବନ୍ଦ ରହିଛି । ଅନଲାଇନରେ ଛାତ୍ରଛାତ୍ରୀଙ୍କ ପାଠପଢା ଚାଲିଛି ।