ବିବାଦ ବଦଳାଇଲା ନିଷ୍ପତ୍ତି। ବଦଳିବ ଆଦିପୁରୁଷର ଡାଏଲଗ

298

କନକ ବ୍ୟୁରୋ: ଫିଲ୍ମ ଆଦିପୁରୁଷ ରିଲିଜକୁ ନେଇ ଯେଉଁ ପ୍ରତୀକ୍ଷା କରାଯାଉଥିଲା, ରିଲିଜ୍ ପରେ ଯେମିତି ଦର୍ଶକଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ମଉଳିଯାଇଥିଲା । ଫିଲ୍ମଟିକୁ ପ୍ରଶଂସା ଅପେକ୍ଷା ଅଧିକ ସମାଲୋଚନା ଶୁଣିବାକୁ ମିଳିଲା । ଆଉ ଏହାର କାରଣ ପାଲଟିଥିଲା, ଚଳଚ୍ଚିତ୍ରର ସଂଳାପ । ରାମୟଣ ପରି ଏକ ବଳିଷ୍ଠ ପୌରାଣିକ ପୃଷ୍ଠଭୂମି ଉପରେ ନିର୍ମିତ ଫିଲ୍ମରେ ଯେପରି ସଂଳାପ ବ୍ୟବହାର କରାଯାଇଛି, ତାକୁ ଦର୍ଶକ ଗ୍ରହଣ କରିପାରି ନାହାନ୍ତି । ସାଧାରଣ ଲୋକ କଥା ହେଲା ଭଳି ଏଥିରେ ଶବ୍ଦ ବ୍ୟବହାର କରାଯାଇଛି । ବିଶେଷକରି ହନୁମାନ ଓ ରାମଙ୍କ ମୁହଁରେ ଯେଉଁ ସବୁ ସଂଳାପ କୁହାଯାଉଛି, ଦର୍ଶକଙ୍କୁ ଅଡ଼ୁଆ ଲାଗୁଛି । ଏହାକୁ ନେଇ ଜୋରଦାର ବିରୋଧ ପରେ ସଂଳାପ ବଦଳାଇବାକୁ ନିଷ୍ପତି ନେଇଛନ୍ତି ଫିଲ୍ମ ନିର୍ମାତା ।

ଆଦିପୁରୁଷ ଫିଲ୍ମର ସହ-ସଂଳାପକାର ମନୋଜ ମୁନ୍ତସିର କହିଛନ୍ତି ଯେ, ରାମକଥାର ସବୁଠୁ ବଡ଼ ବିଶେଷତ୍ୱ ହେଲା ସବୁପ୍ରକାର ମତକୁ ସମ୍ମାନ ଦେବା । ହେଲେ ସେ ବ୍ରହ୍ମା ନୁହଁନ୍ତି, ଯେ ରାମାୟଣକୁ ପୁରା ଲେଖିଦେଇପାରିବେ । ତେବେ ଦର୍ଶକଙ୍କ ମନୋଭାବକୁ ସମ୍ମାନ ଦେଇ କିଛି ଡାଏଲଗରେ ପରିବର୍ତନ କରିବାକୁ ନିଷ୍ପତି ନିଆଯାଇଛି । ଚଳିତ ସପ୍ତାହ ଭିତରେ ଫିଲ୍ମରେ ନୂଆ ସଂଳାପ ଯୋଡ଼ାଯିବ ବୋଲି କହିଛନ୍ତି ମନୋଜ ମୁନ୍ତସିର ।

ପ୍ରଭାସ ଓ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ଯଦିଓ ସଂଳାପ ପାଇଁ ସମାଲୋଚିତ ହୋଇଛି, ହେଲେ ବକ୍ସ ଅଫିସରେ ଆଗକୁ ବଢ଼ିଚାଲିଛି । ରିଲିଜ୍ ହେବାର ୨ ଦିନ ଭିତରେ ଫିଲ୍ମ ୨ ଶହ କୋଟିରୁ ଅଧିକ ଆୟ କରିସାରିଛି ।