ମୃତ ବ୍ୟକ୍ତିଙ୍କର ଆଉ ହେବ ନାହିଁ କୋଭିଡ ଟେଷ୍ଟ । ଡାକ୍ତରଖାନା ଗୁଡିକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର : ବିଜେପି କହିଲା ନିୟମ ବଦଳାଇଥିବାରୁ ସରକାର ପୂର୍ବରୁ ଭୁଲ କରିଥିବା ସ୍ୱୀକାର କରନ୍ତୁ । କଂଗ୍ରେସର ଅଭିଯୋଗ କରୋନା ମୃତକଙ୍କ ସଂଖ୍ୟା କମ ଦେଖାଇବାକୁ ଚାଲ୍

304

କନକ ବ୍ୟୁରୋ : ଏଣିକି ମୃତ ବ୍ୟକ୍ତିଙ୍କର ହେବ ନାହିଁ କରୋନା ପରୀକ୍ଷା । ଏନେଇ ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲଗୁଡିକ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା କରୁଥିବାରୁ ଅଯଥାରେ ଶବ ହସ୍ତାନ୍ତର ବିଳମ୍ୱ ହେଉଥିଲା । ଏହାଛଡା କରୋନା ପଜିଟିଭ ଚିହ୍ନଟ ହେଲେ ମୃତଦେହର ଅନ୍ତିମ ସଂସ୍କାରରେ ବାଧା ସୃଷ୍ଟି, ମୃତଦେହକୁ ଅସମ୍ମାନ ଭଳି ନଜିର ବି ସାମ୍ନାକୁ ଆସିଥିଲା । ତେଣୁ ରାଜ୍ୟ ସରକାର ମୃତକଙ୍କ କୋଭିଡ ଟେଷ୍ଟ ନ କରାଇବାକୁ ଆଡଭାଇଜରି ଜାରି କରିଛନ୍ତି ।

ତେବେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେପି । ବରିଷ୍ଠ ବିଜେପି ନେତା ପୃଥିରାଜ ହରିଚନ୍ଦନ କହିଛନ୍ତି, ଯଦି ରାଜ୍ୟ ସରକାର ନିୟମ ବଦଳାଉଛନ୍ତି, ତେବେ ପୂର୍ବ ବ୍ୟବସ୍ଥା ଭୁଲ ଥିଲା ବୋଲି ମାନିବା ଦରକାର । ସେହିପରି ମୃତକ ବ୍ୟକ୍ତିଙ୍କ କରୋନା ପରୀକ୍ଷା ନହେଲେ ଅନ୍ତିମ ସଂସ୍କାରରେ ସାମିଲ ଲୋକଙ୍କୁ ସଂକ୍ରମିତ ହେବାର ଭୟ ରହିବ । ଅନ୍ୟପଟେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, କରୋନା ମୃତକଙ୍କ ହିସାବ ଲୁଚାଇବାକୁ ସରକାର ଏପରି ଚାଲ ଖେଳୁଛନ୍ତି ।