ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଡାକ୍ତରୀ ପରୀକ୍ଷା ଓ ତଦନ୍ତ ପ୍ରକ୍ରିୟା ଶେଷ : ୩ ସପ୍ତାହ ଅସୁସ୍ଥତା ଜନିତ ଛୁଟିରେ ରହିବେ

178

ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର୍ ଅଭିନନ୍ଦନଙ୍କ ସହ ଭାରତୀୟ ବାୟୁସେନା ଏବଂ ନିରାପତ୍ତା ଏଜେନ୍ସି ପ୍ରାୟ ପଚରାଉଚୁରା ଶେଷ କରିଛନ୍ତି। ତାଙ୍କର ଡାକ୍ତରୀ ପରୀକ୍ଷା ମଧ୍ୟ ଶେଷ ହୋଇଥିବା କଥା ସେମାନେ କହିଛନ୍ତି। କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ସେ ଅନ୍ୟୂନ ତିନି ସପ୍ତାହ ଅସୁସ୍ଥତା ଜନିତ ଛୁଟିରେ ରହିବେ।

ଅଭିନନ୍ଦନଙ୍କର ଇଚ୍ଛା ସେ ପୁଣି ଲଢୁଆ ବିମାନ ଚଳାଇବେ। କିନ୍ତୁ ସେଥିପାଇଁ ସେ ଉପଯୁକ୍ତ କି ନୁହେଁ ଆଇଏଏଫ୍ ଦ୍ୱାରା ଏକ ଡାକ୍ତରୀ ଦଳ ଗଠନ କରାଯାଇ ତାଙ୍କର ଶାରୀରିକ ଯୋଗ୍ୟତା ପରୀକ୍ଷା କରିବେ। କୁଲିଙ୍ଗ୍ ଡାଉନ୍ ପ୍ରକ୍ରିୟାର ଅଂଶ ସ୍ୱରୂପ ନିରାପତ୍ତା ଏଜେନ୍ସି ଅଭିନନ୍ଦନଙ୍କୁ ପଚରା ଉଚୁରା କରିଥିଲେ।

ଫେବୃୟାରି ୨୭ ତାରିଖ ଦିନ ପାକିସ୍ତାନୀ ସେନା ଅଭିନନ୍ଦନଙ୍କ ମିଗ୍-୨୧ ବାଇସନ୍ ଜେଟକୁ ଗୁଳିମାରି ଖସାଇବା ସହ ତାଙ୍କୁ ବନ୍ଦୀ କରି ନେଇଥିଲେ। ତାଙ୍କୁ ମାର୍ଚ ୧ ତାରିଖ ଦିନ ପାକିସ୍ତାନ ମୁକ୍ତ କରିଥିଲା। ପ୍ରଥମେ ତାଙ୍କୁ ଜାତୀୟ ରାଜଧାନୀରେ ଥିବା ଏୟାରଫୋର୍ସ ସେଣ୍ଟ୍ରାଲ୍ ମେଡିକାଲ୍ ଏଷ୍ଟାବ୍ଲିସମେଣ୍ଟକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ସେନାର ରିସର୍ଚ ଆଣ୍ଡ୍ ରେଫେରାଲ୍ ହସପିଟାଲକୁ ରେଫର୍ କରାଯାଇଥିଲା।