କନକ ବ୍ୟୁରୋ: ରାଉରକେଲାର ବିର୍ସା ମୁଣ୍ଡା ଇଣ୍ଟରନ୍ୟାସନାଲ୍ ହକି ଷ୍ଟାଡିୟମ ବିଶ୍ୱର ସବୁଠୁ ବଡ଼ ହକି ଷ୍ଟାଡିୟମ । ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ ଓ ଖବର କାଗଜ ବିଜ୍ଞାପନରେ ଏପରି ଉଲ୍ଲେଖ ହେବା ପରେ ଏହାକୁ ନେଇ ବିତର୍କ ଜୋରଦାର ହୋଇଛି । ଏହି ତଥ୍ୟ ଭ୍ରମାତ୍ମକ ବୋଲି ସୋସିଆଲ୍ ମିଡିଆ ଓ କିଛି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସ୍ପଷ୍ଟୀକରଣ ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା । ତାଙ୍କ କହିବା କଥା, ବିର୍ସାମୁଣ୍ଡା ଇଣ୍ଟରନ୍ୟାସନାଲ୍ ହକି ଷ୍ଟାଡିୟମକୁ ଏହି ମାନ୍ୟତା ଦେଇଛି ଏଫ୍ଆଇଏଚ୍ ବା ଇଣ୍ଟରନ୍ୟାସନାଲ୍ ହକି ଫେଡେରେସନ୍ ।
ବିର୍ସାମୁଣ୍ଡା ଇଣ୍ଟରନ୍ୟାସନାଲ୍ ହକି ଷ୍ଟାଡିୟମକୁ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ କହିବା ପରେ କାହିଁକି ବିବାଦ ସୃଷ୍ଟି ହୋଇଛି, ଏହାକୁ ବୁଝିବା ପାଇଁ ବିଶ୍ୱର ବଡ଼ ବଡ଼ ହକି ଷ୍ଟାଡିୟମ ସଂପର୍କରେ ଜାଣିବା ଆବଶ୍ୟକ । ୱିକିପିଡିଆ ତଥ୍ୟ ଉପରେ ନଜର ପକାନ୍ତୁ –
କ୍ଷମତା ଦୃଷ୍ଟିରୁ ବିଶ୍ୱର ବଡ଼ ହକି ଷ୍ଟାଡିୟମ ତାଲିକାରେ ପ୍ରଥମରେ ରହିଛି
ନ୍ୟାସନାଲ ହକି ଷ୍ଟାଡିୟମ, ଲାହୋର
କ୍ଷମତା (ବସିବା ଓ ଛିଡ଼ାହେବା) – ୪୫,୦୦୦
ଦ୍ୱିତୀୟରେ
ଚଣ୍ଡିଗଡ଼ ହକି ଷ୍ଟାଡିୟମ, ଚଣ୍ଡିଗଡ଼
କ୍ଷମତା (ବସିବା ଓ ଛିଡ଼ାହେବା) – ୩୦,୦୦୦
ତୃତୀୟରେ
ୱିଙ୍ଗର୍ଟ ଷ୍ଟାଡିୟମ, ଲସ୍ ଆଂଜେଲ୍ସ
କ୍ଷମତା (ବସିବା ଓ ଛିଡ଼ାହେବା) – ୨୨,୩୫୫
ଚତୁର୍ଥରେ
ବିର୍ସା ମୁଣ୍ଡା ଇଂଟରନ୍ୟାସନାଲ୍ ହକି ଷ୍ଟାଡିୟମ, ରାଉରକେଲା
କ୍ଷମତା (ବସିବା) – ୨୦,୦୦୦
ଦର୍ଶକ ଧାରଣ କ୍ଷମତା ଦୃଷ୍ଟିରୁ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ ହେଉଛି ପାକିସ୍ତାନର ଲାହୋର ସ୍ଥିତ ନ୍ୟାସନାଲ ହକି ଷ୍ଟାଡିୟମ । ତେବେ ଏହା ମଧ୍ୟରେ ଉଭୟ ବସିବା ଓ ଛିଡାହୋଇ ଖେଳ ଦେଖୁଥିବା ଦର୍ଶକ ରହିଛନ୍ତି । ଚଣ୍ଡିଗଡ଼ ହକି ଷ୍ଟାଡିୟମ ହେଉ କି ଆମେରିକାର ଲସ୍ ଆଂଜେଲ୍ସ ସ୍ଥିତ ହକି ଷ୍ଟାଡିୟମ ହେଉ ସବୁଠି ଦର୍ଶକ ଧାରଣ କ୍ଷମତା ଉଭୟ ସିଟ୍ ସଂଖ୍ୟା ଏବଂ ଛିଡ଼ା ହୋଇ ଖେଳ ଦେଖୁଥିବା ଦର୍ଶକଙ୍କୁ ମିଶାଇ ହିସାବ କରାଯାଇଛି । କିନ୍ତୁ ବିର୍ସା ମୁଣ୍ଡା ଇଂଟରନ୍ୟାସନାଲ୍ ହକି ଷ୍ଟାଡିୟମ ହେଉଛି ଅଲ୍-ସିଟର ହକି ଷ୍ଟାଡିୟମ୍ । ଅର୍ଥାତ୍ ସମସ୍ତ ଦର୍ଶକ ସିଟ୍ରେ ବସି ଖେଳ ଦେଖିବା ପାଇଁ ବ୍ୟବସ୍ଥା ରହିଛି । ଛିଡ଼ା ହୋଇ ଖେଳ ଦେଖିବା ପାଇଁ ବ୍ୟବସ୍ଥା ନାର୍ହି । ଏହି ଦୃଷ୍ଟିକୋଣରୁ ଏହାକୁ ବିଶ୍ୱର ଲାର୍ଜେଷ୍ଟ ଅଲ୍-ସିଟର ହକି ଷ୍ଟାଡିୟମ ବୋଲି ଦାବି କରାଯାଉଛି । ୱିକିପିଡିଆ ମଧ୍ୟ ସେହିକଥା କହୁଛି । ତେବେ ୧୫ ଏକର ଜମିରେ ହୋଇଥିବା ବିର୍ସା ମୁଣ୍ଡା ଇଂଟରନ୍ୟାସନାଲ୍ ହକି ଷ୍ଟାଡିୟମ ନିର୍ମାଣକୁ ୧୫ ମାସ ମଧ୍ୟରେ ଶେଷ କରି ଆଉ ଏକ ରେକର୍ଡ କରିଛନ୍ତି ରାଜ୍ୟ ସରକାର ।