କନକ ବ୍ୟୁରୋ: ଲକଡାଉନ କଟକଣା ସତ୍ୱେ ବି ରାଜ୍ୟରେ ସଂକ୍ରମଣ ଉପରେ ଲାଗୁନି ଲଗାମ । ଦିନକରେ ପୁଣି ରେଡର୍କ ସଂଖ୍ୟକ ୧୨ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ସର୍ବକାଳିନ ରେକର୍ଡ ଭାଙ୍ଗି ପ୍ରଥମ ଥର ପାଇଁ ରାଜ୍ୟରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି ।
ତାରିଖ ସଂକ୍ରମିତ ମୃତ
୨୧ ମେ ୧୨, ୫୨୩ ୨୭
୨୦ ମେ ୧୧,୪୯୮ ୨୫
୧୯ ମେ ୧୧,୦୯୯ ୨୧
୧୮ ମେ ୧୦,୩୨୧ ୨୨
୧୭ ମେ ୧୦,୭୫୭ ୨୨
ରାଜ୍ୟରେ ଜାରି ରହିଛି ଲକଡାଉନ , ସପ୍ତାହନ୍ତ ସଟଡାଉନ ଭଳି କଟକଣା । ଏତେ ସବୁ କଟକଣା ସତ୍ୱେ ବି କମିବାର ନାଁ ନେଉନି ଦୈନିକ ସଂକ୍ରମଣ । ବରଂ ଶୁକ୍ରବାର ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଆଜି ଏକ ଅଲୋଡା ରେକର୍ଡ କରିଛି ଓଡିଶା । ଦିନକରେ ସର୍ବାଧିକ ୧୨ ହଜାର ୫୨୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଟେଷ୍ଟିଂ ବଢ଼ୁଥିବାରୁ ସଂକ୍ରମଣ ସଂଖ୍ୟା ବଢ଼ୁଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଏବଂ ମେ’ ମାସ ଶେଷ ବେଳକୁ ରାଜ୍ୟରେ ସଂକ୍ରମଣ କମିବ ବୋଲି ସେ ଆକଳନ କରିଛନ୍ତି ।
୨୪ ଘଂଟାରେ ୨୭ଜଣଙ୍କ ମୃତ୍ୟୁ ହୋଇଛି । ଯାହାକି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାର ସର୍ବକାଳିନ ରେକର୍ଡ ବୋଲି କୁହାଯାଉଛି । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ହେଉଛି ୮୦ ପ୍ରତିଶତ ଆଇସିୟୁ ଓ ୫୦ ପ୍ରତିଶତ ଭେଂଟିଲେଟରରେ ଗୁରୁତର ରୋଗୀ ଅଛନ୍ତି । ତେଣୁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଏବେ ବଢ଼ିବ । ପ୍ରଥମ ଲହରରେ ୧୮ବର୍ଷ ତଳକୁ ୧୦ ପ୍ରତିଶତ ମୃତ୍ୟୁ ରହିଥିଲା । ବର୍ତମାନ ବି ଯୁବ ବର୍ଗ ଅଧିକ ସଂକ୍ରମିତ ହେଉଛନ୍ତି । ଯେହେତୁ ଭ୍ୟାକକ୍ସିନ ନଥିଲା ତେଣୁ ବର୍ତମାନ ମୃତ୍ୟୁ ସଂଖ୍ୟା ବଢ଼ୁଛି । ଯେତେ ଶୀଘ୍ର ଅରାମ ଭ୍ୟାକ୍ସିନେସନ ସାରିବା ସେହି ଅନୁପାତରେ ମୃତ୍ୟୁ ସଂଖ୍ୟା କମିବ ।
ସବୁଠାରୁ ବଡ କଥା ହେଉଛି ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ଏବେ ବି ପଜିଟିଭିଟି ରେଟ୍ ବା ସଂକ୍ରମଣ ହାର ୨୦ ପ୍ରତିଶତରୁ ଅଧିକ ରହିଛି । ତେଣୁ ଏହାକୁ ରୋକିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ।