ଗୁଜରାଟ ଝୁଲା ପୋଲ ଅଘଟଣରେ ବଢ଼ୁଛି ମୃତକଙ୍କ ସଂଖ୍ୟା। ପୋଲ ମରାମତି କରିଥିବା କମ୍ପାନୀର ମ୍ୟାନେଜର ସମେତ ୯ ଗିରଫ। 

180

କନକ ବ୍ୟୁରୋ: ଅକ୍ଟୋବର ୩୦, ୨୦୨୨, ରବିବାର, ସମୟ ସନ୍ଧ୍ୟା ୬.୩୨ । ହଠାତ୍ ଭୁଶୁଡ଼ି ପଡ଼ିଲା ଝୁଲା ପୋଲ । ଚାହୁଁଚାହୁଁ ଚାଲିଗଲା ଶତାଧିକ ଜୀବନ । ରବିବାର ଥିଲା ଛଟ୍ ପୂଜାର ଶେଷ ଦିନ । ବିହାରୀଙ୍କ ସବୁଠାରୁ ବଡ଼ ପର୍ବ ଥିବାରୁ ଶ୍ରଦ୍ଧାଳୁ ଖୁସି ମନରେ ପୂଜା କରିବା ପାଇଁ ଯାଇଥିଲେ । କିନ୍ତୁ କିଏ ଜାଣିଥିଲା ସେମାନଙ୍କୁ ଅପେକ୍ଷା କରି ରହିଛି ମୃତ୍ୟୁ । ଆଉ ମୃତ୍ୟୁ ଯେ ଏମିତି ଆସିବ, କେହି ଭାବିନଥିଲେ । ଛଟ୍ ପୂଜା ପାଇଁ ଏକତ୍ରିତ ହୋଇଥିଲେ ଶତାଧିକ ଲୋକେ । ନଦୀକୁ ଯିବା ପାଇଁ ଗୁଜରାଟର ମୋଲବି ପୋଲ ଥିଲା ପ୍ରମୁଖ ସାହାରା । କିନ୍ତୁ କ୍ଷମତା ଠାରୁ ଅଧିକ ଶ୍ରଦ୍ଧାଳୁ ଯିବାରୁ ହଠାତ୍ ପୋଲଟି ହଲିବାକୁ ଲାଗିଲା । ଆଉ କେହି କିଛି ଭାବିବା ଆଗରୁ ଗଳି ପଡ଼ିଲା ଝୁଲାପୋଲ । ଚାହୁଁଚାହୁଁ ନଦୀ ଭିତରେ ପଡ଼ିଯାଇଥିଲେ ୪୦୦ ଲୋକ । ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ୧୦ ଲୋକଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । କିନ୍ତୁ ରାତି ବଢ଼ିବା ସାଙ୍ଗକୁ ମୃତ୍ୟୁ ସଂଖ୍ୟା ୧୦୦ରେ ପହଞ୍ଚିଯାଇଥିଲା । ଆଉ ଏବେ ଏହି ସଂଖ୍ୟା ଆହୁରି ବଢ଼ିଚାଲିଛି । ହଠାତ୍ ଏମିତି ଏକ ଅଘଟଣ ଘଟିବ ବୋଲି କେହି ଭାବିନଥିଲେ । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି । ଘଟଣା ପରେ ପୋଲର ଫିଟନେସକୁ ନେଇ ଉଠିଲା ପ୍ରଶ୍ନ ।

ପୋଲର ଫିଟନେସକୁ ନେଇ ଉଠିଲା ପ୍ରଶ୍ନ

– ନିର୍ଦ୍ଧାରିତ ସମୟ ପୂର୍ବରୁ ପୋଲକୁ ଖୋଲିଦେବା

– ପୋଲର ଗୁଣବତ୍ତା ଯାଞ୍ଚ କରିନଥିଲା କମ୍ପାନୀ

– ବିନା ଫିଟନେସ୍ ସାର୍ଟିଫିକେଟରେ ଖୋଲାଯାଇଥିଲା ପୋଲ

– ବିନା ଅନୁମତିରେ ପୋଲକୁ ପୁନର୍ବାର ଖୋଲାଯାଇଥିଲା

– ୧୦୦ ବଦଳରେ ୪୦୦ ଟିକେଟ୍ ବିକ୍ରି

– ଭିଡ଼କୁ ନିୟନ୍ତ୍ରଣ ପାଇଁ ହୋଇନଥିଲା ବନ୍ଦୋବସ୍ତ

ଦୁର୍ଘଟଣା ପରେ ତୁରନ୍ତ ଆରମ୍ଭ ହୋଇଥିଲା ଉଦ୍ଧାରକାର୍ଯ୍ୟ । ବାୟୁସେନାର ଗରୁଡ଼ କମାଣ୍ଡୋ ବାହିନୀ, ସ୍ଥଳସେନା, ଏନ୍ଡିଆରଏଫ୍, ଏସ୍ଡିଆରଏଫ୍ ଓ ଜିଲ୍ଲାର ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ରାତି ସାରା ୨୦୦ରୁ ଅଧିକ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଗୁଜରାଟ ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି । ରେଞ୍ଜ ଆଇଜିପିଙ୍କ ନେତୃତ୍ୱରେ ଏକ ଟିମ୍ ତଦନ୍ତ କରୁଛି । ମୃତକଙ୍କ ପରିବାରକୁ ଗୁଜରାଟ ସରକାର ୪ ଲକ୍ଷ ଲେଖାଏଁ ଓ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜର ସବୁ କାର୍ଯ୍ୟକ୍ରମକୁ ରଦ୍ଦ କରି ଘଟଣାସ୍ଥଳକୁ ଯାଇଥିଲେ।

ଅଘଟଣ ପରେ ଉଠିଲା ପ୍ରଶ୍ନ

– ଦୁର୍ଘଟଣା ପାଇଁ ଦାୟୀ କିଏ?

– ସରକାର ନା ପ୍ରଶାସନ

– ଜବାବ ମାଗୁଛନ୍ତି ମୃତକଙ୍କ ପରିବାର

୧୪୦ ବର୍ଷ ତଳର ଏହି ପୋଲଟି ବ୍ରିଟିଶ ଅମଳରେ ତିଆରି ହୋଇଥିଲା । ଯାହାର ଲମ୍ବା ୨୩୩ ମିଟର୍ ଓ ଚଉଡ଼ା ୪.୬ ଫୁଟ୍ ଥିଲା । ପୋଲର ଫିଟନେସ୍ ନଥିବାରୁ ଏହା ଦୀର୍ଘଦିନ ଧରି ବନ୍ଦ ରହିଥିଲା । ହେଲେ ୭ମାସ ତଳେ ଏକ ଘରୋଇ କମ୍ପାନୀ ପୋଲର ନବୀକରଣ ଓ ମରାମତି ଦାୟିତ୍ୱ ନେଇଥିଲା । ଆଉ ଚାରିଦିନ ତଳେ ଖୋଲିବାକୁ ଅନୁମତି ମିଳିଥିଲା । କିନ୍ତୁ ମରାମତି ଓ ନବୀକରଣ ପରେ ପୋଲକୁ ଫିଟନେସ୍ ବା ଯାତାୟତ ପାଇଁ ଯୋଗ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇନଥିଲା । ବିନା ଫିଟନେସ୍ ପ୍ରମାଣପତ୍ରରେ ଲୋକଙ୍କ ପାଇଁ ଉକ୍ତ ପୋଲକୁ ଖୋଲି ଦିଆଯାଇଥିବା କହିଛନ୍ତି ସ୍ଥାନୀୟ ମୁନିସିପାଲିଟିର ସିଇଓ ।

ମୋରବି ପୋଲ ଅଘଟଣ ମାମଲାରେ ୮ ଜଣଙ୍କ ଅଟକ ରଖି ପଚରାଉଚରା କରୁଛି ପୋଲିସ । ପୋଲିସର ପୋଲର ଠିକାଦାର, ମ୍ୟାନେଜର, ସୁରକ୍ଷାକର୍ମୀ, ଟିକେଟ୍ ବିକ୍ରି କରୁଥିବା କର୍ମଚାରୀଙ୍କୁ ଅଟକ ରଖିଛି । ଯଦି ପୋଲରେ ଏକକାଳୀନ ୧୦୦ରୁ ୧୫୦ ଲୋକ ଯିବାର କ୍ଷମତା ଥିଲା, ସେଥିରେ ଏକକାଳୀନ ୫୦୦ ଲୋକ ଯିବାକୁ ଅନୁମତି କିଏ ଦେଲା ବୋଲି ପ୍ରଶ୍ନ ଉଠୁଛି ।