ପାରଳାଖମୁଣ୍ଡି ଏସିଏଫଓଙ୍କ ମୃତ୍ୟୁକୁ ନେଇ ବଢ଼ିଲା ରହସ୍ୟ : ବାପା ଆଣିଲେ ଯୋଜନାବଦ୍ଧ ହତ୍ୟା ଅଭିଯୋଗ; ମୃତ୍ୟୁ ପାଇଁ ବୋହୂ,ଡିଏଫଓ ଓ ରୋଷେୟାଙ୍କୁ ଦାୟୀ କରି ଥାନାରେ ଏତଲା

233

କନକ ବ୍ୟୁରୋ : ପାରଳାଖମୁଣ୍ଡି ଏସିଏଫଓ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ବଢ଼ିଲା ରହସ୍ୟ । ବାପା ଆଣିଲେ ଯୋଜନା ବଦ୍ଧ ହତ୍ୟା ଅଭିଯୋଗ । ମୃତ୍ୟୁ ପାଇଁ ବୋହୂ,ଡିଏଫଓ ଓ ରୋଷେୟାଙ୍କୁ ଦାୟୀ କରି ଥାନାରେ ଏତଲା ଦେଲେ ସୌମ୍ୟଙ୍କ ବାପା । ଏତଲାରେ ଲେଖାଅଛି ବିବାହର ଏକମାସ ପରେ ପୁଅ ବୋହୂକୁ ନେଇ ପାରଳାଖମୁଣ୍ଡି ଆସିଥିଲା । କିଛି ଦିନ ପରେ ପୁଅ ସୌମ୍ୟ ଘରକୁ ଫୋନ କରି ତାଙ୍କ ଦାମ୍ପତ୍ୟ ଜୀବନରେ ହେଉଥିବା ଝଗଡ଼ା ବିଷୟରେ ଜଣାଉଥିଲା ।

ଡିଏଫଓଙ୍କ ସହ ବୋହୂର ଅନୈତିକ ସମ୍ପକ ବାବଦରେ ପରିବାରକୁ ପୁଅ ଜଣାଇଥିଲେ ବୋଲି ସେ ସଙ୍ଗୀନ ଅଭିଯୋଗ କରିଛନ୍ତି । ଆଉ ଏସବୁ କାର୍ଯ୍ୟରେ ରୋଷେୟା ସହଯୋଗ କରୁଥିବା ମଧ୍ୟ ଏତଲାରେ ଲେଖାଅଛି । ଜାଣିଶୁଣି ଅଫିସ କାର୍ଯ୍ୟ, ଆଳରେ ଡିଏଫଓ ତାଙ୍କୁ ରାତି ଡ୍ୟୁଟି ଦେଉଥିଲେ କହିଛନ୍ତି ସୌମ୍ୟଙ୍କ ବାପା । ବୋହୂ ତାଙ୍କ ପୁଅକୁ ବିଭିନ୍ନ ବିଷୟରେ ଆଘାତ ଦେଉଥିଲା । ମାସେ ପୂର୍ବରୁ ତାଙ୍କ ପୁଅ ଜୀବନ ପ୍ରତି ବିପଦ ଅଛି ବୋଲି ଫୋନ ମାଧ୍ୟରେ ପରିବାରକୁ ଜଣାଇଥିବା କଥା ମଧ୍ୟ ଏତଲାରେ ଦର୍ଶଯାଇଛି । ସୌମ୍ୟଙ୍କ ମୃତ୍ୟୁ ପାଇଁ ବୋହୂ, ଡିଏଫଓ ଏବଂ ରୋଷେୟାଙ୍କୁ ଦାୟୀ କରିଛନ୍ତି ତାଙ୍କ ବାପା ।

ଏପରି କି ମାମଲାର କ୍ରାଇମବ୍ରାଂଚ ତଦନ୍ତ ଦାବି କରିଛନ୍ତି । ତେବେ ବାପାଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ଡିଏଫଓ ସଂଗ୍ରାମ କେଶରୀ ବେହେରା । ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏସିଏଫଓଙ୍କ ଘରେ କାମ କରୁଥିବା ରୋଷେୟା ମଧ୍ୟ ଘଟଣା ଦିନ କ’ଣ ହୋଇଥିଲା କହିଛନ୍ତି । ତେବେ ତାଙ୍କ ବିରୋଧରେ ସୌମ୍ୟଙ୍କ ବାପା ଆଣିଥିବା ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି ।