୨୦ କିଲୋମିଟର କାନ୍ଧରେ ବୁହା ହେଲା ଶବ: ମୃତ୍ୟୁ ପରେ ଘରକୁ ଶବ ନେବା ପାଇଁ ମିଳିଲା ନାହିଁ ଆମ୍ବୁଲାନ୍ସ କି ମହାପ୍ରୟାଣ ଗାଡି

77

କନକ ବ୍ୟୁରୋ: ମିଳିଲାନି ମହାପ୍ରୟାଣ ଗାଡ଼ି କି ଆମ୍ବୁଲାନ୍ସ । ଫଳରେ ବାଧ୍ୟ ହୋଇ ୨୦ କିଲୋମିଟର ଭାରରେ ବୁହାହେଲା ଶବ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣା ଅନୁସାରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ପୁର୍ଣିଗୁଡା ଗାଁର କରୁଣା ଆମନାତ୍ୟ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁର ଅଭି ଆମନାତ୍ୟଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କର ଗୋଟିଏ ପୁଅ ଏବଂ ଦୁଇଟି ଝିଅ ଅଛନ୍ତି । ସାନ ଝିଅ ଜନ୍ମ ହୋଇ ୩ମାସ ହେଇଥିବାରୁ କରୁଣା ଅମାନାତ୍ୟ ତାଙ୍କ ବାପାଙ୍କ ଘର ପୁର୍ଣିଗୁଡାକୁ ଯାଇଥିଲେ । ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା । ଅନେକ ଚେଷ୍ଟା ପରେ ମଧ୍ୟ ସରକାରୀ ଗାଡି କି କୌଣସି ସରକାରୀ ସାହାଯ୍ୟ ସୁବିଧା ନ ମିଳିଥିଲା । ସେମାନେ ଗରିବ ଶ୍ରେଣୀର ହୋଇଥିବାରୁ ଅର୍ଥାଭାବରୁ କୌଣସି ଗାଡିର ବ୍ୟବସ୍ଥା କରିପାରିନଥିଲେ । ଫଳରେ ତାଙ୍କ ସମ୍ପର୍କୀୟ ମାନେ କୌଣସି ଉପାୟ ନପାଇ ପ୍ରାୟ ୨୦ କିଲୋମିଟର ଖଟିଆରେ ବୋହି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଗ୍ରାମକୁ ଆଣି ଶବ ସକ୍ରାର କରିଥିଲେ ।