କନକ ବ୍ୟୁରୋ: ରାଜଧାନୀ ରାସ୍ତାରେ ଶବକୁ ଧରି ବୁଲାଇଲେ ୩ କିଲୋମିଟର । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ଘଟଣା ସତ । ଦୁଇଟି ବାଇକରେ ତିନି ଜଣ ଯୁବକଙ୍କ ଏହି କାରନାମା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Advertisment
  • ସମୟ- ରାତି ପ୍ରାୟ ୧୧ଟା
  • ସ୍ଥାନ- ଲିଙ୍ଗିପୁର ନଦୀବନ୍ଧ

ରାସ୍ତାରେ ଦୁଇଟି ବାଇକ ଯାଉଥିଲା । ଗୋଟିଏ ବାଇକରେ ଦୁଇ ଯୁବକଙ୍କ ମଝିରେ ବସିଥିଲେ ଜଣେ ଯୁବତୀ । ଆଉ ଗାଡି ପଛ ପଛେ ଆଉ ଏକ ବାଇକ ତାଙ୍କୁ ଫଲୋ କରୁଥିଲା । କିନ୍ତୁ ରାସ୍ତାସାରା ଯୁବତୀଙ୍କ ଗୋଡ ଘୋଷାଡି ହୋଇ ଯାଉଥିବାର ଦେଖି ସନ୍ଦେହ ପ୍ରକଟ କରିଥିଲେ ସ୍ଥାନୀୟ ବାସିନ୍ଦା । ବାଇକଟିକୁ ଅଟକାଇବାକୁ ଚେଷ୍ଟା କରିବାରୁ ସେମାନେ ଚକମା ଦେଇ ଖସି ଯାଇଥିଲେ । ଲୋକମାନେ ଗୋଡାଇବାରୁ ବାଇକରେ ଥିବା ଯୁବକମାନେ ରାସ୍ତାରେ ପଡି ଯାଇଥିଲେ । ଆଉ ଜଣା ପଡିଥିଲା ଯୁବତୀଙ୍କର ପୁର୍ବରୁ ହିଁ ମୃତ୍ୟୁ ହୋଇସାରିଛି । ଏବଂ ମୃତ ଦେହକୁ ପୋଡିବା କିମ୍ବା ପୋତି ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରୁଥିବା ସ୍ପଷ୍ଟ ହୋଇଥିଲା ।

ମୃତଦେହକୁ ଜବତ କରି ଶବ ବ୍ୟବଚ୍ଚେଦ ପାଇଁ ପଠାଇଛି ଧଉଳିି ଥାନା ପୁଲିସ । ମୃତ ଯୁବତୀ ଜଣକ ହେଉଛନ୍ତି ଗଞ୍ଜାମ ହିଞିଳିକାଟୁ ଅଞ୍ଚଳର ଭାଗ୍ୟ ଡାକୁଆ । ସେ ଶିଶୁପାଳଗଡ ଅଞ୍ଚଳରେ ରହି ଆସୁଥିଲେ । ଗତ ତିନି ମାସ ତଳେ ଲେବର ମିସ୍ତ୍ରୀ ଭାବେ କାମ କରୁଥିବା ସେଖ ରାଜୁ ଓ ଭାଗ୍ୟ ପ୍ରେମ ବିବାହ କରି ଅନ୍ୟତ୍ର ରହୁଥିଲେ । ହଠାତ ଗତକାଲି ବିଳମ୍ବିତ ରାତିରେ ଭାଗ୍ୟଙ୍କ ମୃତ ଦେହକୁ ଠିକଣା ଲଗାଇବାର ମାଷ୍ଟର ପ୍ଲାନ କରିଥିଲା ରାଜୁ । ତେବେ ମାଷ୍ଟର ମାଇଣ୍ଡ ସେଖ୍ ରାଜୁ ଓ ତାର ଦୁଇ ସହଯୋଗୀ ଅବାଇଦୁର ସେଖ୍ ଓ ଜେନାରୁଲ ସେଖ୍ ମୃତଦେହକୁ ନଷ୍ଟ କରିବା ପାଇଁ ଲିଙ୍ଗିପୁର ନଦୀ ଆଡକୁ ଆଣିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ଏହି ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ନିର୍ବାଚନ ପାଇଁ ରାଜଧାନୀରେ ରାତିସାରା ଚେକିଂ ଓ ବ୍ଲକିଂ ଚାଲିଛି । ମଦୁଆଙ୍କ ଗାଡି ସିଜ୍ କରି ବାହାବାହା ନେଉଛି କମିଶନରେଟ୍ ପୋଲିସ । ଅଥଚ ବାଇକରେ ଯୁବତୀଙ୍କ ମୃତଦେହକୁ ଅଭିଯୁକ୍ତମାନେ ୩ କିଲୋମିଟର ଧରି ବୁଲୁଥିବା ବେଳେ ଏହାର ଟେର ପାଇଲା ନାହିଁ ପୋଲିସ ।

ମୃତ ଭାଗ୍ୟଙ୍କ ଦେହରେ ଥିବା କ୍ଷତ ଚିହ୍ନ ଏବଂ ବେକରେ ଥିବା ଲିଗ୍ରେଚର ମାର୍କ ପୁରା ଘଟଣାକୁ ଆହୁରି ସନ୍ଦେହ ଘେରକୁ ଟାଣୁଛି । ହତ୍ୟାକାଣ୍ଡର ଦଫା - ୩୦୨, ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବାର ଦଫା – ୩୦୬, ପ୍ରମାଣ ନଷ୍ଟ କରିବାର ଦଫା – ୨୦୧ ଏବଂ ଏକାଧିକ ଅଭିଯୁକ୍ତଙ୍କ ସଂପୃକ୍ତିର ଦଫା ୩୪ରେ ମାମଲା ରୁଜୁ କରିଛି ପୁଲିସ । କିନ୍ତୁ ଗୋଟିଏ ଜିନିଷ ଏବେବି ଅସ୍ପଷ୍ଟ, ଭାଗ୍ୟଙ୍କ ମୃତ୍ୟୁ ହେଲା କେମିତି?