କନକ ବ୍ୟୁରୋ : ଯୁଗ ଯାଇ କେଉଁଠି ପହଞ୍ଚିଲାଣି । ହେଲେ ଏବେବି ଏମିତି କିଛି ଘଟଣା ଘଟିଯାଏ, ଯାହା ଭାବିବାକୁ ବାଧ୍ୟ କରେ । ଜାତିର ଦ୍ୱାହି ଦେଇ କିଛି ଲୋକ ମଣିଷ ପଣିଆକୁ ଭୁଲିଯାଉଛନ୍ତି, ତାର ଏକ ଅଭାବନୀୟ ଦୃଶ୍ୟ ଆସିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଳକ ମାଲିମୁଣ୍ଡା ଗାଁରୁ । ଜାତିଗତ ବସନ୍ଦ ପାଇଁ ଶବକୁ ଛୁଇଁଲେନି ଜାତି ଭାଇ । ଫଳରେ ୧୮ ଘଣ୍ଟା ପଡ଼ି ରହିଲା ଶବ । ମାଲିମୁଣ୍ଡା ଗାଁର ବୀଭିଷଣ ବାଗ ଓ ସ୍ତ୍ରୀ ଶଙ୍ଖବାଗଙ୍କ ଝିଅ ଅନ୍ୟ ଜାତିରେ ବାହା ହୋଇଥିଲେ ।

Advertisment

ଏହାକୁ ନେଇ ଗାଁର ଜାତି ଭାଇ ସାଇ ପଡ଼ିଶା ତାଙ୍କ ପରିବାରକୁ ବାସନ୍ଦ କରିବା ସହ ସେମାନଙ୍କ ସହ ସମ୍ପର୍କ ରଖିନଥିଲେ । ମଙ୍ଗଳବାର ଶଙ୍ଖ ବାଗଙ୍କର ମୃତ୍ୟୁ ହୋଇଯାଇଥିଲା । ଆଉ ନିଜ ସ୍ତ୍ରୀଙ୍କ ମୃତଦେହ ମଶାଣିକୁ ନେବା ପାଇଁ ବୀଭିଷଣ ଯେତେ ଗୁହାରି କରିଥିଲେ ବି, କେହି ଗାଁ ଲୋକ ଆସି ନଥିଲେ । ଫଳରେ ଶବ ସେହିଭଳି ୧୮ ଘଣ୍ଟା ପଡ଼ି ରହିଥିଲା । ଶେଷରେ ପାଟଣାଗଡ଼ର ସେବା ଚାରିଟେବୁଲ ଟ୍ରଷ୍ଟର ସଦସ୍ୟମାନେ ମୃତଦେହକୁ ମଶାଣିକୁ ନେଇ ସତ୍କାର କରିଥିଲେ ।