ଘରକୁ ଯାଇପାରିଲାନି ମୃତଦେହ। ସତ୍ୟନଗର ଶ୍ମଶାନରେ ହେଲା ସଂସ୍କାର

436

କନକ ବ୍ୟୁରୋ: ଭୀମ ଚୌଧୁରୀ, ଘର: ଝାଡ଼ଖଣ୍ଡ । ବିପୁଲ ରାୟ, ଘର: ପଶ୍ଚିମବଙ୍ଗ । ସୁଜିତ କୁମାର, ଘର: ବିହାର । ଇଏ ଏଭଳି କିଛି ବ୍ୟକ୍ତିଙ୍କ ନା’ ଓ ପରିଚୟ, ଯାହାଙ୍କର ଶବ ଠିକଣା ସ୍ଥାନରେ ପହଂଚିବାକୁ ଗୋଟିଏ ମାସ ଧରି ପରିବାର ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ିଛି । ଡିଏନଏ ପରୀକ୍ଷାରେ ଯାହାଙ୍କର ଶବ ଚିହ୍ନଟ ହୋଇପାରିଛି, ସେମାନଙ୍କ ସମ୍ପର୍କୀୟ ଶବ ନେଇ ଯାଉଛନ୍ତି, ଆଉ ଯାହାର ଚିହ୍ନଟ ହୋଇପାରିନି ସେମାନଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ । ବାହାନଗା ଦୁର୍ଘଟଣାକୁ ଏହାରି ଭିତରେ ଗୋଟିଏ ମାସ ପୁରିଯାଇଥିଲେ ବି ଦୁଃଖ ଯାଇନି ।

ଘରକୁ ନେଇ ଅନ୍ତିମ ସଂସ୍କାର କରିବା ସମ୍ଭବ ନଥିବାରୁ ଆଜି ଭୁବନେଶ୍ୱର ଶ୍ମଶାନରେ ଦୁଇଟି ମୃତଦେହର ଅନ୍ତିମ ସଂସ୍କାର କରିଛନ୍ତି ମୃତକଙ୍କ ସମ୍ପର୍କୀୟ । ଝାଡ଼ଖଣ୍ଡ ଓ ବିହାରର ଦୁଇଟି ପରିବାର ଏତେ ଦୂର ମୃତଦେହ ନେବାକୁ ରାଜି ନହେବାରୁ ଓଡ଼ିଶାରେ ଶେଷକୃତ୍ୟ କରାଯାଇଛି । ଝାଡ଼ଖଣ୍ଡର ଦିନେଶ ଯାଦବ ଏବଂ ବିହାରର ସୁରେଶ ରାୟଙ୍କ ଶେଷକୃତ୍ୟ ଭୁବନେଶ୍ୱରରେ କରାଯାଇଛି ।

ଏସବୁ ଭିତରେ ଭୁବନେଶ୍ୱର ଏମ୍ସରେ ଥିବା ୮୧ଟି ମୃତଦେହ ଭିତରୁ ୧୯ ଜଣଙ୍କ ଶବ ଚିହ୍ନ ହୋଇଛି । ଡିଏନଏ ସାମ୍ପୁଲ ମ୍ୟାଚ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ବଳକା ମୃତଦେହକୁ ମାଇନସ ୧୮ ଡିଗ୍ରୀ ତାପମାତ୍ରାରେ ଶବଗୁଡିକୁ ସଂରକ୍ଷିତ କରି ରଖାଯାଇଛି ।

ଭୁବନେଶ୍ୱରର ଏମ୍ସରେ ଏବେ ବି ପଡ଼ିରହିଛି ମୃତଦେହ । ସଂପୂର୍ଣ୍ଣ ଡିଏନଏ ରିପୋର୍ଟ ଆସିଲେ, ସମ୍ପର୍କୀୟଙ୍କୁ ଶବ ହସ୍ତାନ୍ତର କରାଯିବ । ଥରେ ଚିନ୍ତା କରନ୍ତୁ କେଉଁ ମାନସିକତା ଭିତରେ ଦିନ କାଟୁଥିବେ ମୃତକଙ୍କ ପରିବାର ।