ଜେଲରେ ମାଆ ବିଚାରଧିନ କଏଦୀ ଥିବାବେଳେ ଜଣାପଡ଼ିଲା କୁନି ଝିଅ ହୃଦରୋଗ , ଅଣ୍ଟା ଭିଡ଼ିଥିଲେ ଜେଲ୍ କର୍ତ୍ତୁପକ୍ଷ । ସଫଳ ହେଲା ଦେଢ ବର୍ଷର କୁନି ଝିଅର ଅସ୍ତ୍ରୋପଚାର ।

120
କନକ ବ୍ୟୁରୋ: ଗଂଜାମ ଜିଲ୍ଲା ସବଜେଲରୁ ବାଙ୍ଗାଲୁରୁ । ସଫଳ ହେଲା ଅସ୍ତ୍ରୋପଚାର । ସୁସ୍ଥ ହେଲା ଦେଢ ବର୍ଷର କୁନି ଝିଅ । ମାଆ ଜେଲରେ ବିଚାରଧିନ କଏଦୀ ଭାବେ ଥିବା ବେଳେ କୁନି ଝିଅର ହୃଦରୋଗ ଜଣାପଡିଥିଲା । ପରେ ଜେଲ କର୍ତୃପକ୍ଷଙ୍କ ଉଦ୍ୟମରେ ଝିଅର ଅପରେସନ କରାଯାଇଛି ।
ଜେଲରୁ ମିଳିଳା ନୂଆ ଜୀବନ । ବିଚାରଧିନ ମହିଳା କଏଦୀଙ୍କ ଝିଅର ହେଲା ସଫଳ ହାର୍ଟ ଅପରେସନ । ଏକ ହତ୍ୟା ମାମଲାରେ ବିଚାରଧିନ କଏଦୀ ଭାବେ ଗଞ୍ଜାମ ଆସିକା ସବଜେଲରେ ଅଛନ୍ତି ବଡଗଡ ଥାନା ଅନ୍ତର୍ଗତ ଓଳମ୍ବା ଗାଁ କୁନି ନାୟକ । ତାଙ୍କ ସହ ଦେଢ ବର୍ଷର ଝିଅ ବି ଜେଲରେ ରହୁଛି । ଜେଲରେ ଥିବା ବେଳେ ଝିଅଟି ଅସୁସ୍ଥ ହୋଇପଡିଲା । ପ୍ରାଥମିକ ଚିକିତ୍ସାରୁ ଜଣାପଡିଲା ତାର ହାର୍ଟରେ ଗର୍ତ୍ତ ଅଛି, ଅପରେସନ୍ ଆବଶ୍ୟକ । ଏହାପରେ ସବଜେଲର ଜେଲ୍ ଅଧିକ୍ଷକ ଦିଲ୍ଲୀପ କୁମାର ଜେନାଙ୍କ ଉଦ୍ୟମରେ ବାଙ୍ଗାଲୁରରେ ଝିଅର ହାର୍ଟ ଅପରେସନ କରାଯାଇଛି ।
କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ବାଲ୍ ବିକାଶ କାର୍ଯ୍ୟକ୍ରମ ଜରିଆରେ ଶିଶୁର ଚିକିତ୍ସା କରାଯାଇଛି । ଗତ ଜାନୁଆରୀ ୨୯ ତାରିଖ ଦିନ କୁନି ଝିଅକୁ ଚିକିତ୍ସା ପାଇଁ ବେଙ୍ଗାଲୁରୁର ନାରାୟଣ ହୃଦାଳୟକୁ ନିଆଯାଇଥିଲା । ସେଠାରେ ଫେବୃଆରୀ ୩ ତାରିଖ ଦିନ ସଫଳତାର ସହ ହାର୍ଟ ଅପରେସନ୍ କରାଯାଇଥିଲା । ଅପରେସନ୍ ବେଳେ ଝିଅକୁ ରକ୍ତର ଆବଶ୍ୟକତା ପଡିବାରୁ ସୁରକ୍ଷା କର୍ମୀ ଭାବେ ଯାଇଥିବା ଆସିକା ସବଜେଲର ୱାଡର୍ କୃଷ୍ଣଚନ୍ଦ୍ର ପାତ୍ର ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ମାନବିକତାର ପରିଚୟ ଦେଇଛନ୍ତି । ସଫଳତାର ସହ କୁନି ଝିଅର ହାର୍ଟ ଅପରେସନ୍ ସରିବା ପରେ ସେ ପୁଣି ଗଂଜାମ ଫେରି ଆସିଛି । ଏବଂ ଏବେ ତା’ ମାଆ ସହ ଆସିକା ସବଜେଲରେ ରହୁଛି ।