ସଂକଟ ବେଳରେ ଆସିଲା ଦୟନୀୟ ଚିତ୍ର: ଜନ ଧନ ଯୋଜନାରେ ଆସିଥିବା ଟଙ୍କା ଉଠାଇବାକୁ ଖଟିଆରେ ମାଆଙ୍କୁ ଟାଣି ଟାଣି ବ୍ୟାଙ୍କ ନେଲା ଝିଅ; ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଜିଦ୍ ଯୋଗୁ ହଟହଟା ହେଲେ ଶତାୟୁ ବୃଦ୍ଧା

ସଂକଟ ବେଳରେ ଆସିଲା ଦୟନୀୟ ଚିତ୍ର: ଜନ ଧନ ଯୋଜନାରେ ଆସିଥିବା ଟଙ୍କା ଉଠାଇବାକୁ ଖଟିଆରେ ମାଆଙ୍କୁ ଟାଣି ଟାଣି ବ୍ୟାଙ୍କ ନେଲା ଝିଅ; ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଜିଦ୍ ଯୋଗୁ ହଟହଟା ହେଲେ ଶତାୟୁ ବୃଦ୍ଧା

କନକ ବ୍ୟୁରୋ: ଦାରିଦ୍ର୍ୟ ମଣିଷକୁ କେତେ ଅସହାୟ କରିପାରେ, ତାର ଏକ ଜୀବନ୍ତ ଚିତ୍ର ଆସିଛି ନୂଆପଡ଼ା ଜିଲ୍ଲାରୁ । ଏଠି ଜଣେ ମଣିଷ ଆଉ ଜଣେ ମଣିଷକୁ ଦଉଡିଆ ଖଟରେ ଘୋଷାଡି ଘୋଷାଡି ନେଉଛି । ୪ଶହ ମିଟର ବାଟ ଏମିତି ଟଣା ହୋଇଯିବା ପରେ ଶତାୟୁ ବୃଦ୍ଧା ଜଣକ ପହଂଚିଥିଲେ ଗନ୍ତବ୍ୟସ୍ଥଳରେ । ବ୍ୟାଙ୍କରୁ ଟଙ୍କା ଉଠାଇବା କେତେ ଯନ୍ତ୍ରଣା ଦାୟକ ଏବଂ ଦୟନୀୟ ହୋଇପାରେ ପଢନ୍ତୁ ଏହି ରିପୋର୍ଟ ।

publive-image

ଶର୍ଯ୍ୟାଶାୟୀ ମହିଳାଙ୍କ ଏହି ସଂଘର୍ଷ ବ୍ୟବସ୍ଥାକୁ ପ୍ରଶ୍ନ କରୁଛି-ଇଏ କି ବ୍ୟବସ୍ଥା? ଯେଉଁ ବ୍ୟବସ୍ଥା ଜଣେ ଶତାୟୁ ବୃଦ୍ଧାଙ୍କୁ ରାସ୍ତା ମଝିରେ ଘୋଷାଡ଼ି ଘୋଷାଡି ନେଇ ଯିବାକୁ ବାଧ୍ୟ କରୁଛି । ଚିତ୍ର ଦେଖିଲେ କାହାରିକୁ ମନକୁ ବି ପ୍ରଶ୍ନ ଆସିବ, ଏମିତି କ’ଣ ହେଲା ଯେ, ଜଣେ ବୃଦ୍ଧ ମହିଳାଙ୍କୁ ଆଉ ଜଣେ ମହିଳା ଏଭଳି ଟାଣି ଟାଣି ନେଉଛନ୍ତି । ଏ ଚିତ୍ର ଯେତିକି ହୃଦୟବିଦାରକ, କାହାଣୀ ସେମିତି ଦୟନୀୟ । ଦଉଡିଆ ଖଟରେ ଟଣା ହୋଇ ଯାଉଥିବା ବୃଦ୍ଧା ମହିଳା ଜଣକ ହେଉଛନ୍ତି ନୂଆପଡ଼ା ଜିଲ୍ଲା ବର୍ଗାଁର ଲବେ ବାଗ୍ । ଜନଧନ ଯୋଜନାରେ ମହିଳାଙ୍କ ଖାତାକୁ ତିନି ମାସରେ ୧୫ଶହ ଟଙ୍କା ଆସିଥିଲା । ଆଉ ଟଙ୍କା ଉଠାଇବା ପାଇଁ ତାଙ୍କ ଝିଅ ଯେତେବେଳେ ସ୍ଥାନୀୟ ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କ ଶାଖାକୁ ଯାଇଥିଲେ, ବ୍ୟାଙ୍କ କର୍ମଚାରୀ କହିଲେ ମା’ ନଆସିଲେ ଟଙ୍କା ମିଳିବ ନାହିଁ ।

publive-image

ଗାଡ଼ିଘୋଡ଼ା କରିବାକୁ ଟଙ୍କା ନଥିଲା । ଆଉ ମା’ଙ୍କ ବ୍ୟାଙ୍କ ନପହଂଚାଇଥିଲେ ଟଙ୍କା ମିଳିବ ନାହିଁ । ବାଧ୍ୟ ହୋଇ ମହିଳା ଜଣ ନିଷ୍ପତି ନେଲେ, ଦଉଡ଼ିଆ ଖଟକୁ ଟାଣି ଟାଣି ବ୍ୟାଙ୍କ୍ ନେଇଯିବେ । ଆଉ ସେଇଆ କଲେ । ଖଟକୁ ଟାଣି ଟାଣି ପ୍ରାୟ ଅଧା କିଲୋମିଟର ରାସ୍ତା ମା’ଙ୍କୁ ଦୟନୀୟ ଅବସ୍ଥାରେ ବ୍ୟାଙ୍କ ନେଇଗଲେ । ସରକାର କହୁଛନ୍ତି ସିନିୟର ସିଟିଜନ୍ ପାଖକୁ ବ୍ୟାଙ୍କ୍ ଯିବ, ହେଲେ ଏଠି ତ’ ଚାଲିବୁଲି ପାରୁନଥିବା ଲୋକଙ୍କୁ ବ୍ୟାଙ୍କଯିବାକୁ ପଡୁଛି ।ମହାମାରୀ ବେଳେ ମଣିଷ କେତେ ଅସହାୟ ହୋଇଯାଏ ଏବଂ ଦାରିଦ୍ର୍ୟ ମଣିଷକୁ କେଉଁ ଭଳି ଦୁଃଖ ଦେଖାଇ ପାରେ ନୂଆପଡ଼ାରୁ ଆସିଥିବା ଏହି ଚିତ୍ର ହିଁ ବୟାନ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe