ଭୁବନେଶ୍ୱରରେ କରୋନା ମୁକାବିଲା ପାଇଁ ୱାର୍ଡସ୍ତରରେ କାମ କରିବେ ଏଏସ୍ଓ : ତଥ୍ୟ ସଜାଡ଼ିବେ ଡାଟା ଏଣ୍ଟ୍ରି ଅପରେଟର

119

କନକ ବ୍ୟୁରୋ : ଭୁବନେଶ୍ୱରରେ କରୋନା ମୁକାବିଲା ପାଇଁ ବିଏମ୍‌ସି ବହୁ ପଦକ୍ଷେପ ନେଉଥିଲେ ହେଁ ଆଜି ପର୍ଯ୍ୟନ୍ତ କୌଣସି ତଥ୍ୟ ଠିକ୍ ଭାବେ ରଖିପାରିନି। ମାଳମାଳ ଅଧିକାରୀ କଣ୍ଟ୍ରୋଲ ରୁମ୍‌ରେ ବସି କାମ କରୁଥିଲେ ହେଁ କୌଣସି ତଥ୍ୟ ମାଗିଲା ବେଳକୁ ସେମାନଙ୍କ ପାଖରେ ମିଳୁନି। ଏପରିକି ଭୁବନେଶ୍ବରରେ କରୋନା ପ୍ରଭାବ କେତେ ଭୟଙ୍କର ଅଛି ତା’ର ତଥ୍ୟ ପ୍ରମାଣ ଦେବାକୁ ବି କୌଣସି ପ୍ରକାରର ବିଶ୍ଳେଷଣ ହୋଇନି। ରାଜ୍ୟ ସରକାର/ଗଣମାଧ୍ୟମ ପ୍ରତିନିଧି କିଛି ତଥ୍ୟ ମାଗିଲେ ବିଏମ୍‌ସି ଅଧିକାରୀ ଦିନ ଗଡ଼ାଉଛନ୍ତି। ହେଲେ କୌଣସି ତଥ୍ୟ ଦେଇ ପାରୁନାହାନ୍ତି। ଏପରିକି ବିଏମ୍‌ସି କମିସନର୍‌ ଗଣମାଧ୍ୟମକୁ ସୂଚନା ଦେବା ବେଳେ ଯେଉଁ ପାୱାର ପଏଣ୍ଟ ଉପସ୍ଥାପନ କରୁଛନ୍ତି, ସେଥିରେ ବି ବହୁ ତ୍ରୁଟି ରହୁଛି। ବିଏମ୍‌ସି କମିସନର୍‌ ଯେଉଁ ତଥ୍ୟ ରଖୁଛନ୍ତି, ତାହା କିପରି ହେଲା ପଚାରିଲା ବେଳକୁ ଅଧିକାରୀ କହୁଛନ୍ତି ତଥ୍ୟ ଭୁଲ୍ ହୋଇଯାଇଛି। ରାଜଧାନୀରେ ସବୁଠୁ ଅନୁନ୍ନତମାନର ଡାଟାବେସ୍ ପ୍ରସ୍ତୁତ ହେଉଥିବାରୁ ଏହାକୁ ସଜାଡ଼ିବାକୁ ରାଜ୍ୟ ସରକାର ୫୦ଜଣ ଏଏସ୍ଓ ଓ ୧୫ଜଣ ଡାଟାଏଣ୍ଟ୍ରି ଅପରେଟର୍‌ଙ୍କୁ ବିଏମ୍‌ସିରେ ନିୟୋଜିତ କରିଛନ୍ତି। ସେମାନେ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ବିଏମ୍‌ସିରେ କାମ କରିବେ। ରାଜ୍ୟ ସରକାର ୨୬ଟି ବିଭାଗର ୫୦ଜଣ ଏଏସ୍ଓଙ୍କୁ ବିଏମ୍‌ସିକୁ ପଠାଇଛନ୍ତି।

ବିଏମ୍‌ସି କମିସନର୍‌ଙ୍କ ସୂଚନା ଅନୁଯାୟୀ, ଏଏସ୍ଓମାନେ ଅଧିକାରୀ ଭାବେ କାମ କରିବେ। ସେମାନଙ୍କୁ ବିଭିନ୍ନ ୱାର୍ଡ ଦାୟିତ୍ବ ଦିଆଯିବ। ସେମାନେ ୱାର୍ଡ ଅଫିସରଙ୍କ ସହଯୋଗରେ ୱାର୍ଡସ୍ତରରେ କାମ କରିବେ। ଏଏସ୍ଓମାନେ ଜୋନାଲ ଡେପୁଟି କମିସନରମାନଙ୍କୁ ସହଯୋଗ କରିବେ। ଏଏସ୍ଓମାନେ ସବୁ ଡାଟା ୱାର୍ଡସ୍ତରରୁ ଯେପରି ଠିକ୍ ଭାବେ ସଂଗ୍ରହ ହେବ, ତାହା ଉପରେ ନଜର ରଖିବେ। ଏପଟେ ବିଏମ୍‌ସି ମୁଖ୍ୟାଳୟ ଏବଂ ତିନିଟି ଯାକ ଜୋନ୍ ଅଫିସରେ ଡାଟା ଏଣ୍ଟ୍ରି ଅପରେଟର୍‌ମାନେ ବସିବେ। ସେମାନେ ବିଏମ୍‌ସି ପ୍ରସ୍ତୁତ କରିଥିବା ସବୁ ତଥ୍ୟକୁ ପୁଣି ସଜାଡ଼ିବେ। ଏହି କାମ ସୋମବାରଠାରୁ ଆରମ୍ଭ ହେବ ବୋଲି କୁହାଯାଇଛି।