କନକ ବ୍ୟୁରୋ: ବାତ୍ୟା ‘ମୋଚା’ ପାଇଁ ବଙ୍ଗୋପସାଗରର ପାରିପାଶ୍ୱିର୍କ ସ୍ଥିତି ଅନୁକୂଳ ହେବାରେ ଲାଗିଛି । ୬ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଥିବାରୁ ଆଶାନ୍ତ ହୋଇଯିବ ସମୁଦ୍ର । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ୭ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଉ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ୮ ତାରିଖ ବେଳକୁ ଅବପାତରେ ପରିଣତ ହୋଇପାରେ । ଏହାପରେ ଉତ୍ତର ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡକୁ ଗତି କରିବା ସମ୍ଭାବନା ରହିଛି । ଆହୁରି ଘନୀଭୂତ ହୋଇ ୯ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେଇପାରେ । ସମୁଦ୍ର ଭିତର ସ୍ଥିତି ଯାହା ରହିଛି, ସେଥିରୁ ବାତ୍ୟା ସମ୍ଭାବନା ବଢ଼ିବାରେ ଲାଗିଛି ।

Advertisment

‘ଆଇଏମଡି ଜିଏଫ୍ଏସ୍ ମଡେଲ’ ଅନୁସାରେ
୯ ତାରିଖରେ ସାମୁଦ୍ରିକ ଝଡ଼ ସମ୍ଭାବନା
୧୦ ତାରିଖ ପର୍ଯ୍ୟନ୍ତ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି
ଏହାପରେ ରିକର୍ଭ କରିପାରେ ବାତ୍ୟା
ଉତ୍ତରପୂର୍ବ ଆଡ଼କୁ ଗତି କରି ହୋଇପାରେ ବାଂଲାଦେଶ ଓ ମିଆଁମାର ଉପକୂଳ ମୁହାଁ
ଆହୁରି ଘନିଭୂତ ହୋଇ ନେଇପାରେ ଭୀଷଣ ଓ ପରେ ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ

କେବଳ ଜିଏଫ୍ଏସ୍ ମଡେଲ୍ ନୁହେଁ ପ୍ରାୟ ସମସ୍ତ ମଡେଲ, ଅତି ଭୀଷଣ ସାମୁଦ୍ରିକ ଝଡ଼ ସମ୍ଭାବନା ନେଇ ପୂର୍ବାନୁମାନ କରିଛି । ଏହି ସମୟରେ ସମୁଦ୍ର ଆଶାନ୍ତ ରହିବ । ତେଣୁ ସମୁଦ୍ର ଭିତରକୁ ନଯିବା ପାଇଁ ବାରଣ କରାଯାଇଛି । ୭ ତାରିଖରୁ ପବନର ବେଗ ବଢ଼ିବ । ସମୁଦ୍ର ଭିତରେ ଘଂଟା ପ୍ରତି ପବନର ୪୦ରୁ ୫୦ କିଲୋମିଟର ସର୍ବାଧିକ ୬୦ କିଲୋମିଟର ହୋଇପାରେ । ୮ରୁ ୧୧ ତାରିଖ ମଧ୍ୟରେ ପବନର ବେଗ ଆହୁରି ବୃଦ୍ଧି ପାଇବା ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ମନା କରାଯାଇଛି । ଆଣ୍ଡାମାନ-ନିକୋବର ଉପକୂଳରେ ପର୍ଯ୍ୟଟନକୁ ମଧ୍ୟ ବାରଣ କରାଯାଇଛି ।

୧୨ ତାରିଖ କିମ୍ବା ଏହା ପରଦିନ ବାତ୍ୟାସ୍ଥଳ ଭାଗ ଛୁଇଁବା ଆଶଙ୍କା ରହିଛି । ତେବେ ଓଡ଼ିଶାରେ କ’ଣ ପ୍ରଭାବ ପଡ଼ିବ ଏନେଇ କିଛି ସ୍ପଷ୍ଟ ହୋଇନାହିଁ । ପାଣିପାଗ ବିଭାଗ କହିଛି, ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଧୀରେ ଧୀରେ ସ୍ପଷ୍ଟ ହେବ ବାତ୍ୟାର ତୀବ୍ରତା ଓ ଗତିପଥ । ଏପଟେ ଦୁଇ ଦିନ ପରେ ରାଜ୍ୟରେ ପୁଣି ତାତି ବଢ଼ିବ । ଅର୍ଥାତ ୭ ତାରିଖ ବେଳକୁ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।