ଭୀଷଣ ବାତ୍ୟାର ରୂପ ନେଉଛି ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣିଝଡ : ଘଂଟାକୁ ୬କିଲୋମିଟର ବେଗରେ ପଶ୍ଚିମ ମୁହାଁ ‘ନିଭାର’

ତାମିଲନାଡୁ-ପୁଡୁଚେରୀ ଉପକୂଳରେ ହୋଇପାରେ ମାଡ; ଆନ୍ଧ୍ର , କର୍ଣ୍ଣାଟକ ଓ ରାୟଲସୀମାରେ ପଡିବ ପ୍ରଭାବ

595

କନକ ବ୍ୟୁରୋ : ଦକ୍ଷିଣକୁ ନିଭାର ଭୟ । ଭୀଷଣ ବାତ୍ୟାର ରୂପ ନେଉଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ନିଭାର । ଏହା ଘଂଟାକୁ ପ୍ରାୟ ୬କିଲୋମିଟର ବେଗରେ ପଶ୍ଚିମ ଦିଗରେ ଗତି କରୁଛି । ଆଜି ସନ୍ଧ୍ୟା ସୁଦ୍ଧା ଏହା ତାମିଲନାଡୁ ଏବଂ ପୁଡୁଚେରୀ ନିକଟରେ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ଏହି ସମୟରେ ଘଂଟା ପ୍ରତି ୧୨୦ରୁ ୧୩୦ କିଲୋମିଟର ବେଗରେ ପବନ ବୋହିବା ସହ ସର୍ବାଧିକ ୧୪୫କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି ।

ସାଇକ୍ଲୋନିକ ଷ୍ଟର୍ମ ‘ନିଭାର’ ପ୍ରଭାବରେ ତାମିଲନାଡୁ, ପୁଡୁଚେରି, କରାଇକେଲ, ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳ ଓ ରୟାଲ ସୀମା, ଦକ୍ଷିଣ ପୂର୍ବ ତେଲେଙ୍ଗାନା ଓ କର୍ଣ୍ଣାଟକରେ ଆସନ୍ତା ଦୁଇ ଦିନ ଧରି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥି ଯୋଗୁଁ ଓଡିଶାକୁ ବିପଦକୁ ନଥିଲେ ମଧ୍ୟ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । କିନ୍ତୁ ପବନର ପ୍ରଭାବ ଓଡିଶାରେ ରହିବ ନାହିଁ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଦକ୍ଷିଣ ଭାରତରେ ନିଭାର ବାତ୍ୟାର ପ୍ରଭାବ ନ ସରୁଣୁ ୨୮ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ୩୦ ତାରିଖରେ ଲଘୁଚାପ ଓ ସମ୍ଭବତଃ ଅଧିକ ଘନୀଭୂତ ହୋଇ ଅବପାତ ରୂପରେ ଡିସେମ୍ବର ୨ ତାରିଖ ଆଡ଼କୁ ତାମିଲନାଡୁ ଉପକୂଳ ଛୁଇଁପାରେ। ଠିକ୍‌ ସେହି ସମୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇ ପ୍ରାୟତଃ ସମାନ ଗତିପଥ ଦେଇ ଡିସେମ୍ବର ୬ ତାରିଖ ବେଳକୁ ତାମିଲନାଡୁ ଛୁଇଁପାରେ ।