ଡନ୍ ଘରର ଛାତ ଖୋଳି ବନ୍ଧୁକ କାଢିଲା ପୁଲିସ । ଡି-ବ୍ରଦର୍ସଙ୍କ ସିକ୍ରେଟ ଚାମ୍ବରର ଗୁମର ଖୋଲିଲେ କଟକ ଡିସିପି । କହିଲେ, ବନ୍ଧୁକ ଓ ଗୁଳି ରଖିବା ପାଇଁ ହୋଇଥିଲା ଗୁପ୍ତ କୋଠରୀ ।

296

କନକ ବ୍ୟୁରୋ : ବଲିଉଡ ଫିଲ୍ମ ଭଳି ଡନ୍, ଡି-ବ୍ରଦର୍ସଙ୍କ ଘରେ ଗୋପନରେ ଲୁଚାଯାଇଥିଲା ଅସ୍ତ୍ରଶସ୍ତ୍ର । ଚଢାଉ ସମୟ ବନ୍ଧୁକ ଲୁଚାଇଥିବା ସ୍ଥାନ ଦେଖି ରେଡ କରୁଥିବା କର୍ମଚାରୀ ତାଜୁବ ହୋଇଥିଲେ । ଦୁଇ ଗ୍ୟାଙ୍ଗଷ୍ଟରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଥିବା କମିସନରେଟ ପୁଲିସ କଟକ ସିଡିଏ ସ୍ଥିତ ଛାନଭିନ କରି ଚକିତ ହୋଇଯାଇଛି । ଧଳସାମନ୍ତଙ୍କୁ ଜେରା କରି ପାଇଥିବା ତଥ୍ୟ ଆଧାରରେ କାନ୍ଥ ଭାଙ୍ଗି, ବେଡରୁମର ସିଲିଂ ଭାଙ୍ଗି, ବନ୍ଧୁକ, ଗୁଳି ସମେତ ନଗଦ ରାଶି ଜବତ କରିଛି ପୁଲିସ ।

ଡନର ଘରେ ପୁଲିସ ରେଡ୍ ଚାଲିଥିଲା । କେଉଁଠି ବନ୍ଧୁକ ଲୁଚି ରହିଛି ତାର ଖୋଳତାଡ କରୁଥିଲା ପୁଲିସ । ଏହେଉଛି ସେହି ସମୟର ଦୃଶ୍ୟ । ଛାତର ସିଲିଂ ଭାଙ୍ଗି ଯେତେବେଳେ ପୁଲିସ କର୍ମଚାରୀ ବନ୍ଧୁକ ଠାବ କରିବାକୁ କରିଥିଲେ ଉଦ୍ୟମ । ଆଉ ଏହି ସମୟରେ ଛାତରୁ ତିନୋଟି ବନ୍ଧୁକ ଉଦ୍ଧାର କରିଛି କମିଶନରେଟ ପୁଲିସ ।

ଘରର ବେଡରୁମରେ ଥିବା ଛାତ ଉପରେ ଲୁଚାଇ ରଖାଯାଇଥିଲା ବନ୍ଧୁକ ଗୁଳି । ସିନେମାରେ ହୁଏତ ଆପଣ ଏମିତି ଦୃଶ୍ୟ ଦେଖିଥିଲେ, ହେଲେ କଟକର ଏହି ଡନ୍ ତାକୁ ବାସ୍ତବତାର ରୂପ ଦେଇଥିଲେ । ଯେଉଁ ପରିମାଣରେ ବନ୍ଧୁକ, ଗୁଳି, ଟଙ୍କା ପୁଲିସ ପାଉଛି, ତାହା ସ୍ପଷ୍ଟ ଭାବେ ପ୍ରମାଣିତ କରୁଛି, ଡନ୍ ସିନା ଜେଲ ଭିତରେ ହେଲେ ତାର ସାମ୍ରାଜ୍ୟ କିନ୍ତୁ ଏଘାଏଁ ଜାରି ରହିଛି ।

କଟକ ସିଡିଏ ସ୍ଥିତ ଡି-ବ୍ରଦର୍ସଙ୍କ ଏହି ବାସଭବନରେ କଟକ ପୁଲିସର ଦୁଇ ଦିନିଆ ଚଢାଉ ବେଳେ ୩ଟି ବନ୍ଧୁକ, ୧୭୫ ରାଉଣ୍ଡ ଗୁଳି, ୫ ମାଗାଜିନ ସହ ସାଢେ ୧୬ ଲକ୍ଷ ଟଙ୍କା ଜବତ ହୋଇଛି । ଏହାଛଡା ମାରଣାସ୍ତ୍ର ଜବତ କରିବା ସହ ଏହି କାରବାର ନେଇ ପୁଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

ପ୍ରଥମ ଦିନ ଜେରା ବେଳେ ସୁଶାନ୍ତ ପୁଲିସକୁ ସହଯୋଗ କରିନଥିବା ବେଳେ ସୁଶୀଲ ଗୁପ୍ତ କୋଠରୀ ଦେଖାଇବାରୁ କାନ୍ଧଭାଙ୍ଗି ବନ୍ଧୁକ ଓ ଗୁଳି ଜବତ କରାଯାଇଥିଲା । ସେହିପରି ଦ୍ୱିତୀୟ ଦିନରେ ସୁଶୀଲ ଓ ସୁଶାନ୍ତ ସହଯୋଗନକରିବାରୁ ମେଟାଲ ଡିଟେକ୍ଟର ସହାୟତାରେ ଆଉ କିଛି ବନ୍ଧୁକ, ଗୁଳି ଜବତ କରିଛି କମିଶନରେଟ ପୁଲିସ ।

ଜେଲରେ ଥାଇ ଦୁଇ ଭାଇ ସୁଶୀଲ ଓ ସୁଶାନ୍ତ ଧଳ ସାମନ୍ତ ଟୁଇନ ସିଟି ସମେତ ଆଖପାଖ ଅଂଚଳର ଅପରାଧ ନେଟୱାର୍କକୁ ପରିଚାଳନା କରୁଥିବା ଅଭିଯୋଗ ହୋଇଆସୁଛି । ତେଣୁ ରିମାଣ୍ଡ ଅବଧି ସରିବା ପରେ ଡି ବ୍ରଦର୍ସଙ୍କ ପୁଣି ଜେଲ ପଠାଇ ସ୍ୱତନ୍ତ୍ର ନଜର ରଖାଯିବ ବୋଲି କମିସନରେଟ ପୁଲିସ କହିଛି ।