କରୋନା କାଳର କୋଟିପତି ମାଉସୀ । କ୍ଷୀର ଖୋଲିଦେଲା ଭାଗ୍ୟ, କ୍ଷୀର ବିକି କୋଟିପତି ବନିଲେ ୬୨ ବର୍ଷର ବୁଢୀ ମା’ ।

466

କନକ ବ୍ୟୁରୋ : କ୍ଷୀର ଖୋଲିଦେଲା ଭାଗ୍ୟ । କରୋନା କାଳର କୋଟିପତି ମାଉସୀ । ଲକଡାଉନ୍ ସମୟରେ କ୍ଷୀର ବିକ୍ରି କରି କୋଟିପତି ବନିଲେ ବୃଦ୍ଧା । କୁହାଯାଏ, କୌଣସି ବି କାମ ଛୋଟ କିମ୍ବା ବଡ ହୋଇନଥାଏ । ଆପଣଙ୍କୁ କେବଳ ସେହି କାମର ମହତ୍ୱ ଜାଣିବା ଆବଶ୍ୟକ । ସବୁ କାମର ଆରମ୍ଭ ସବୁବେଳେ ଛୋଟରୁ ହିଁ ହୋଇଥାଏ । ଯଦି ସେହି କାମ ପ୍ରତି ଆପଣଙ୍କ ଭଲପାଇବା ଆଉ ଏକାଗ୍ରତା ରହିଥାଏ, ତେବେ ସଫଳତା ନିଶ୍ଚିତ ମିଳିଥାଏ । ଆଜି ଆମେ ଆପଣଙ୍କୁ ସେମିତି ଏକ କାହାଣୀ କହିବୁ, ଯାହା ଜାଣିଲେ ଆପଣଙ୍କ ମନୋବଳ ବି ଦୃଢ ହେବ, ଆଉ ଆତ୍ମବିଶ୍ୱାସ ଦୁଇଗୁଣ ହୋଇଯିବ ।

କରୋନା ମହାମାରୀ ଭିତରେ ଯେତେବେଳେ ସରକାର ଲକଡାଉନ୍ ଘୋଷଣା କଲେ, ସେତେବେଳେ ଅନେକ ଲୋକ ସେମାନଙ୍କ ଚାକିରି ହରାଇଥିଲେ, ଆଉ ବାହାରେ କାମ କରୁଥିବା ଲୋକମାନେ କାମ ଛାଡି ଗାଁକୁ ଫେରିଆସି ଚାଷ କାମ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ଏହାରି ଭିତରେ ଜଣେ ୬୨ ବର୍ଷୀୟା ବୃଦ୍ଧା ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ କରି କୋଟିପତି ବନିଛନ୍ତି । ଆଉ ବ୍ୟବସାୟ କ୍ଷେତ୍ରରେ ନୂଆ କୀର୍ତିମାନ ସ୍ଥାପନ କରିଛନ୍ତି ।

ଇଏ ହେଉଛନ୍ତି ସେହି ୬୨ ବର୍ଷୀୟା ବୃଦ୍ଧା ନାଭାଲବେନ୍ । ଗୁଜୁରାଟର ବନାସକଂଠା ଜିଲ୍ଲାର ନଗାନା ଗ୍ରାମରେ ବସବାସ କରନ୍ତି । ଲକଡାଉନ୍ ସମୟରେ ନିଜ ଶକ୍ତି ସାମର୍ଥ୍ୟରେ ପଶୁପାଳନ କରିବା ସହ ଦୁଗ୍ଧ ଉତ୍ପାଦନ କରି ସେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଗତ ବର୍ଷ ଅର୍ଥାତ ୨୦୨୦ରେ ସେ ୧କୋଟି ୧୦ଲକ୍ଷ ଟଙ୍କାର ଦୁଗ୍ଧ ବିକ୍ରି କରିଛନ୍ତି ।

ନାଭାଲବେନଙ୍କ ପାଖରେ ଏବେ ସୁଦ୍ଧା ୪୫ଟି ଗାଈ ଏବଂ ୮୦ଟି ମଇଁଷି ରହିଛି । ଆଉ ଏମାନଙ୍କ ଠାରୁ ପ୍ରତିଦିନ ପାଖାପାଖି ୧୦୦୦ ଲିଟର ଦୁଗ୍ଧ ସଂଗ୍ରହ କରିଥାନ୍ତି ନାଭାଲବେନ୍ । ଏହି ଦୁଗ୍ଧକୁ ବିକ୍ରି କରି ବୃଦ୍ଧାଜଣଙ୍କ ମାସକୁ ୩ ଲକ୍ଷ ୫୦ ହଜାର ଟଙ୍କା ରୋଜଗାର କରିଥାନ୍ତି । ୨୦୧୯ରେ ସେ ପାଖାପାଖି ୮୮ ଲକ୍ଷ ଟଙ୍କାର ଦୁଗ୍ଧ ବିକ୍ରି କରିଥିଲେ ।

ଏହି ୬୨ ବର୍ଷୀୟା ବୃଦ୍ଧାଜଣଙ୍କ ପାଠ ପଢିନାହାନ୍ତି । କିନ୍ତୁ ଏହା ସତ୍ୱେ ମଧ୍ୟ ନିଜର କଠିନ ପରିଶ୍ରମ ବଳରେ ସେ ନିଜେ ଆତ୍ମନିର୍ଭରଶୀଳ ହେବା ସହ ୧୧ଜଣଙ୍କୁ ରୋଜଗାର ଯୋଗାଇଛନ୍ତି । ଆଉ ଏଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ୨ଟି ଲକ୍ଷ୍ମୀ ପୁରସ୍କାର ଓ ୩ଟି ପାଦରି ପୁରସ୍କାରରେ ପୁରସ୍କୃତ କରିଛନ୍ତି ।