ଶିମିଳିପାଳରେ ବଢୁଛି ସଂକଟ । କୋର୍ ଅଂଚଳରେ ୫ କିଲୋମିଟର ଧରି ଜଳୁଛି ନିଆଁ, କାବୁ କରିବାକୁ ନୟାନ୍ତ ବନ ବିଭାଗ ।

167

କନକ ବ୍ୟୁରୋ: ଘନ ଅନ୍ଧାରକୁ ଆଲୋକିତ କରି ଦେଉଥିବା ଏହି ନିଆଁ କେତେ ବଡ଼ ସଂକଟ ଆଣିପାରେ ହୁଏତ, ସେକଥାକୁ ସେମାନେ ଠିକ୍ ବୁଝି ପାରିବେ ଯେଉଁମାନେ ଶିମିଳିପାଳ ଅଭ୍ୟାୟରଣ୍ୟର ଜୈବ ବିବିଧତାର ଗୁରୁତ୍ୱକୁ ଜାଣନ୍ତି । ଏହି ନିଆଁ କେବଳ ଯେ, ଜଙ୍ଗଲ ଜାଳୁଛି, ତାହା ନୁହେଁ, ଜଙ୍ଗଲରେ ଥିବା ହଜାର ହଜାର ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ଆଣୁଛି ଏକଥା କାହାରିକୁ ଅଛପା ନାହିଁ ।

ପ୍ରାୟ ଦୁଇ ସପ୍ତାହ ଧରି ଶିମିଳିପାଳ ଅଭୟାରଣ୍ୟ ଏବଂ ଆଖପାଖ ଅଂଚଳରେ ନିଆଁ ଜଳୁଛି । ଖବର ପ୍ରସାରଣ ପରେ ପିସିସିଏଫ୍ ଯାଇ ଅନୁଧ୍ୟାନ କରି କହିଛନ୍ତି- କୋର୍ ଅଂଚଳରେ ନିଆଁ ଲାଗିନି କି ବଡ଼ ଗଛ ପୋଡ଼ିନି । କିନ୍ତୁ ସରକାରୀ ଅଧିକାରୀ କହୁଥିବା କଥା ଏବଂ ଘଟଣାସ୍ଥଳରେ ଥିବା ସ୍ଥିତି ଭିତରେ ତାଳମେଳ ରହୁନି ଏହା ସ୍ପଷ୍ଟ । କାରଣ, କୋର୍ ଅଂଚଳରେ ଆସୁଥିବା ଭଞ୍ଜବସା ରେଞ୍ଜର ସ୍ଥିତି, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛି କନକ ନ୍ୟୁଜ୍ ଟିମ୍ ।

କେବଳ ଭଞ୍ଜବସା ରେଞ୍ଜ କାହିଁକି ପୋଡ଼ାଡିହା ରେଞ୍ଜର ସ୍ଥିତି ଆହୁରୀ ସଂଗୀନ୍ । ନିଆଁ ଓ ଧୂଆଁ ଯୋଗୁଁ ସ୍ଥାନୀୟ ଲୋକଙ୍କ ଜୀବନ ଧାରଣ ମଧ୍ୟ ପ୍ରଭାବିତ ହୋଇଛି । ଆଉ ଏହି ଭୟଙ୍କର ପରିସ୍ଥିତି ଭିତରେ ସ୍ଥାନୀୟ କିଛି ଗାଁର ଲୋକ ଏକତ୍ରିତ ହୋଇ ବୈଠକ କରିଛନ୍ତି । କାରଣ, ଧୂଆଁର ପ୍ରକୋପ ଭିତରେ ନିଶ୍ୱାସ ନେବା କଷ୍ଟ ହେବା ସହ ଆଖି ପୋଡୁଥିବା ଲୋକ ଅଭିଯୋଗ କରିଛନ୍ତି ।

ଆଉ ଏସବୁ ଭିତରେ ନିୟାକୁ ଆୟତ କରିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି ବନ ବିଭାଗର କର୍ମଚାରୀ । ବିଭାଗର ହଜାରେରୁ ଅଧିକ ବନ କର୍ମଚାରୀ ଏବଂ ୨ଶହରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାରେ ନିୟୋଜିତ ହୋଇଛନ୍ତି । ଶନିବାର ରାତିରେ ଭଞ୍ଜବସା ଏବଂ ପୋଡ଼ାଡିହା ରେଞ୍ଜରେ ପ୍ରାୟ ୫ କିଲୋମିଟର ବ୍ୟାପି ନିଆଁ ଲାଗିଛି ।

ବନ ବିଭାଗର ଉଦ୍ୟମ ଭିତରେ କିନ୍ତୁ ନିଆଁର ଆଁ ଭିତରକୁ ଚାଲିଯାଉଛି ଗୋଟିଏ ପରେ ଗୋଟିଏ ଜଙ୍ଗଲ । ଯାହା ଶିମିଳିପାଳ ଅଭୟାରଣ୍ୟ ପାଇଁ ଆହୁରୀ ବିପଦ ଆଣୁଛି । ନିଆଁର ଭୟାବହତାକୁ ନେଇ ବରିଷ୍ଠ ଅଧିକାରୀ, ଯାହା ସ୍ପଷ୍ଟକରଣ ଦିଅନ୍ତୁ ନାଁ କାହିଁକି, ଯଦି ଯୁଦ୍ଧକାଳିନ ଭିତିରେ ନିଆଁକୁ ଆୟତ କରାନଯାଏ, ତେବେ ଏହା ଶିମିଳିପାଳ ଅଭ୍ୟାୟରଣ୍ୟର ଜୈବ ବିବିଧତାକୁ ପ୍ରଭାବିତ କରିବ, ଏଥିରେ ସନ୍ଦେହ ନାହିଁ ।