କନକ ବ୍ୟୁରୋ: ନବ ଦାସ ହତ୍ୟା ଘଟଣାରେ କ୍ରାଇମବ୍ରାଂଚ୍ ଦାଖଲ କରିଥିବା ଚାର୍ଜସିଟ୍କୁ ନେଇ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ଘଟଣାକୁ ଚପାଇବାରେ ରାଜ୍ୟ ସରକାର ସଫଳ ହୋଇଥିବା ବିଜେପି ଅଭିଯୋଗ କରିବା ସହ ଉଠାଇଛନ୍ତି ଏକାଧିକ ପ୍ରଶ୍ନ । ଯଦି ଗୋପାଳ ଦାସଙ୍କ ବ୍ୟକ୍ତିଗତ ରାଗ ଥିଲା, ତେବେ କ’ଣ ପାଇଁ ସେ ରାଗ ଥିଲା? ଯଦି ନବ ଦାସ ଏବଂ ତାଙ୍କ ସମର୍ଥକଙ୍କୁ ଗୋପାଳ ଭୟ କରୁଥିଲେ, ତେବେ କାହିଁକି ଭୟ କରୁଥିଲେ? ଯଦି ଷଡ଼ଯନ୍ତ୍ର ହୋଇଥିଲା ଏହି ଷଡ଼ଯନ୍ତ୍ରରେ କିଏ କିଏ ସାମିଲ ଥିଲେ ? ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଏପଟେ ସମାନ ଢ଼ଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ପିସିସି ସଭାପତି । ନବ ଦାସଙ୍କ ହତ୍ୟା କାହିଁକି ହେଲା ତା’ର ପର୍ଦ୍ଦାଫାଶ ଏପର୍ଯ୍ୟନ୍ତ କରିପାରିଲେ ନାହିଁ ସରକାର । ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଅଛି, ଏତେ ବଡ଼ ବଡ଼ ପୁଲିସ ଅଧିକାରୀ ଅଛନ୍ତି, ତଥାପି ହତ୍ୟାର ସଠିକ୍ କାରଣ ଖୋଜା ହୋଇପାରିଲା ନାହିଁ ବୋଲି କହିଛନ୍ତି ଶରତ ପଟ୍ଟନାୟକ ।
ବିରୋଧୀଙ୍କ ଆକ୍ରମଣ ଉପରେ ଜବାବ ରଖିଛନ୍ତି- ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । କହିଛନ୍ତି- ବିରୋଧୀ ଅନେକ କଥା କହିବେ । ସରକାର ଯେତେ ଭଲ କାମ କଲେ ବି ବିରୋଧୀ କହିବା ବନ୍ଦ କରିବେ ନାହିଁ । ବିରୋଧୀ ତାଙ୍କ କାମ କରନ୍ତୁ, ସରକାର ଲୋକଙ୍କ ପାଖରେ ଉତରଦାୟୀ । ଯେଉଁମାନେ ଦୋଷୀ ସେମାନଙ୍କୁ ଦଣ୍ଡ ମିଳିବ, ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ନବ ଦାସଙ୍କ ହତ୍ୟାକାଣ୍ଡର ୧୧୮ ଦିନ ପରେ କ୍ରାଇମବ୍ରାଂଚ୍ ଚାର୍ଜସିଟ୍ ଦାଖଲ କରିଛି । ହେଲେ ଏହି ଚାର୍ଜସିଟ୍ରେ ଯେଉଁସବୁ ଦିଗରେ ସ୍ପଷ୍ଟତା ନାହିଁ, ତାକୁ ନେଇ ପୁଣି ଥରେ ପୁରୁଣା ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ।
Follow Us