କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ଏହା ଭିତରେ ମାସେ ପୁରିବାକୁ ଯାଉଛି । କିନ୍ତୁ ଏପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ମାରିବା ପଛର ଉଦ୍ଦେଶ୍ୟ କଣ ତାହା ସ୍ପଷ୍ଟ ହୋଇନି । କେବଳ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ନୁହେଁ, ୨୦୨୧ର ଚର୍ଚ୍ଚିତ ମମିତା ମେହେରା ହତ୍ୟାକାଣ୍ଡ, ୨୦୨୨ର କ୍ୟାମେରାପର୍ସନ ମାନସ ସ୍ୱାଇଁ ହତ୍ୟାକାଣ୍ଡର କାରଣ କ’ଣ? ତାହା ଏପର୍ଯ୍ୟନ୍ତ ସାମନାକୁ ଆସି ପାରିନି । ମାମଲାର ତଦନ୍ତ ଚାଲିଛି, କିନ୍ତୁ ହତ୍ୟା ପଛର ପ୍ରକୃତ କାରଣ କ’ଣ ତା ପାଖରେ ପହଞ୍ଚି ପାରୁନି ପୋଲିସ । ତେଣୁ ତଦନ୍ତକାରୀ ସଂସ୍ଥାର ଏଭଳି ତଦନ୍ତକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି ।

Advertisment

୨୦୨୧ ମମିତା ମେହେର ହତ୍ୟାକାଣ୍ଡ, ୨୦୨୨ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ, ୨୦୨୩ ଜାନୁଆରୀ ୨୯ରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ । ଦେଢ଼ ବର୍ଷ ଭିତରେ ଘଟିଥିବା ଏହି ୩ ହତ୍ୟାକାଣ୍ଡ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଆଉ ସବୁ ମାମଲାର ତଦନ୍ତ ଦାୟିତ୍ୱ ନେଇଛି କ୍ରାଇମବ୍ରାଞ୍ଚ । ମାତ୍ର ବିଡ଼ମ୍ବନାର କଥା ହେଉଛି, ୩ଟି ହତ୍ୟାକାଣ୍ଡର ଅପରାଧୀଙ୍କୁ ତ ଗିରଫ କରାଯାଇଛି, କିନ୍ତୁ ମୋଟିଭ୍ ଅଫ୍ ମର୍ଡର ବା ହତ୍ୟାକାଣ୍ଡର କାରଣ ଏବେ ବି ରହସ୍ୟ ଘେରରେ । ମମିତା ମେହେରଙ୍କୁ କାହିଁକି ହତ୍ୟା କରାଗଲା, ଏହାର ସ୍ପଷ୍ଟ ଉତ୍ତର ମିଳିନାହିଁ । ଯେଉଁ ଭିଡିଓ କ୍ଲିପ୍ ପାଇଁ କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କୁ ହତ୍ୟା କରାଗଲା, ସେହି ଭିଡିଓ କ୍ଲିପ୍ କେଉଁଠି ଅଛି ଏବଂ ସେଥିରେ କଣ ରହିଥିଲା, ତାହା ଉପରୁ ପରଦା ହଟିନାହିଁ । ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୋପାଳ ଗୁଳି ମାରିଲା, ତାହା ମଧ୍ୟ ରହସ୍ୟ ଘେରରେ ଅଛି ।

ମମିତା ମେହେର ହତ୍ୟାକାଣ୍ଡ 

୨୦୨୧ ଅକ୍ଟୋବର ମାସରେ ଘଟିଥିବା ମମିତା ମେହର ହତ୍ୟାକାଣ୍ଡକୁ ନେଇ ବିଧାନସଭାରୁ ରାଜରାସ୍ତା ପର୍ଯ୍ୟନ୍ତ ହୁଲୁସ୍ତୁଲ ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଗତ ଡିସେମ୍ବର ମାସରେ କଣ୍ଟାବାଞ୍ଜି ସବଜେଲରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିଲେ । କିନ୍ତୁ କାହିଁକି ମମିତା ମେହେରଙ୍କୁ ହତ୍ୟା କରିଥିଲା ଗୋବିନ୍ଦ ସାହୁ? ଦେଢ଼ ବର୍ଷ ପରେ ବି ଏହା ସ୍ପଷ୍ଟ ହୋଇନାହିଁ । କିଛି ଗୋପନୀୟ ତଥ୍ୟ, ଭିଡିଓ କ୍ଲିପ୍ ମମିତା ମେହେରଙ୍କ ପାଖରେ ରହିଥିବା ନେଇ ଚର୍ଚ୍ଚା ହେଉଥିଲା, ତାହା ଗଲା କୁଆଡ଼େ?

ମାନସ ସ୍ୱାଇଁ ହତ୍ୟାକାଣ୍ଡ

୨୦୨୨ ଫେବ୍ରୁଆରୀ ମାସରେ ଘଟିଥିଲା କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡ । ମୁଖ୍ୟ ଅଭିଯୁକ୍ତ ୱେବପୋର୍ଟାଲ ମାଲିକ ଶର୍ମିଷ୍ଠା ରାଉତ, ଅବସରପ୍ରାପ୍ତ ଅଧିକାରୀ ନିରଞ୍ଜନ ସେଠୀଙ୍କ ସମେତ ୮ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । କୋର୍ଟରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିଛି ତଦନ୍ତକାରୀ ସଂସ୍ଥା । ଇତି ମଧ୍ୟରେ ଜାମିନ ପାଇଛନ୍ତି ନିରଞ୍ଜନ ସେଠୀ । ଭିଡିଓ କ୍ଲିପକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଇଥିଲା । କିନ୍ତୁ ସେହି ଭିଡିଓ କ୍ଲିପ୍ କେଉଁଠି ଅଛି ଏବଂ ସେଥିରେ କଣ ରହିଥିଲା, ତାହା ଉପରୁ ପରଦା ହଟିନାହିଁ ।

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ

୨୦୨୩ ଜାନୁଆରୀ ୨୯ ତାରିଖରେ ଘଟିଥିବା ଏହି ହତ୍ୟାକାଣ୍ଡ କେବଳ ଓଡ଼ିଶା ନୁହେଁ, ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲା । କାରଣ ଘଟଣାସ୍ଥଳରେ ମୂତୟନ ହୋଇଥିବା ପୁଲିସ ଏଏସଆଇ ଗୋପାଳ ଦାସ ମନ୍ତ୍ରୀଙ୍କ ଉପରେ ଗୁଳି ଚଳାଇଥିଲା । ଅଭିଯୁକ୍ତକୁ ଘଟଣାସ୍ଥଳରୁ ହିଁ କବଜାକୁ ନେଇଥିଲା ପୁଲିସ । ସେହିଦିନ ହିଁ ତଦନ୍ତ ପାଇଁ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ । ପାଖାପାଖି ଏକ ମାସ ହେଲା ଜୋରଦାର କସରତ କରୁଛି ତଦନ୍ତକାରୀ ଟିମ୍ । ତେବେ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ଗୋପାଳ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ  । ଯାହା ତଦନ୍ତ ଉପରେ ଅନେକ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି ।

ପ୍ରଶ୍ନ ଉଠୁଛି...

  • ଅପରାଧର ମୂଳ କାରଣ ପର୍ଯ୍ୟନ୍ତ କାହିଁକି ପହଞ୍ଚି ପାରୁନାହିଁଁ ପୁଲିସ?
  • ଅପରାଧୀ ଧରା ପଡୁଛି, ହେଲେ ଜଣାପଡୁନାହିଁ ଅପରାଧର ପ୍ରକୃତ କାରଣ?
  • ପ୍ରକୃତ କାରଣ ଜଣା ପଡୁନାହିଁ ନା’ ମୂଳ ଘଟଣାକୁ ଚପାଇବା ପାଇଁ ହେଉଛି ଉଦ୍ୟମ?
  • ଅପରାଧୀଙ୍କୁ ଖସାଇବା ପାଇଁ ସହାୟକ ହେବ କି ଅଧାପନ୍ତରିଆ ତଦନ୍ତ?