କନକ ବ୍ୟୁରୋ : ଖୋର୍ଦ୍ଧା ସାରୁଅରେ ଥିବା ଅନୁସୂଚିତ ଜାତିର ୭.୨୯୪ ଏକର ଜମିକୁ ବେନାମୀ କାରବାର କରି କିପରି ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ୍ ହଡ଼ପ କରିଥିଲା, ତା’ର ପୂରା ବିବରଣୀ ଦେଇଛି କ୍ରାଇମବ୍ରାଂଚ । ଅନୁସୂଚିତ ଜାତି ଲୋକଙ୍କ ଜମିକୁ କିଣିବା ନେଇ ଆଇନରେ ପ୍ରତିବନ୍ଧ ଥିବାରୁ ଚଂଚକତା କରି କଂପାନୀରେ କାମ କରୁଥିବା ଜଣେ ଡ୍ରାଇଭର ରବି ସେଠୀଙ୍କୁ ବ୍ୟବହାର କରାଯାଇଥିବା ପ୍ରେସମିଟ୍ କରି କହିଛନ୍ତି କ୍ରାଇମବ୍ରାଂଚ ଏଡିଜି । ରବି ସେଠୀ ନିଜେ ଅନୁସୂଚିତ ଜାତିର ହୋଇଥିବାରୁ ଅନୁସୂଚିତ ଜାତିର ଲୋକଙ୍କ ଜମିକୁ ତାଙ୍କ ନାଁରେ କିଣା ଯାଇଥିଲା ଏବଂ ସେହି ଜମିକୁ ଓଡ଼ିଶା ଇନଫ୍ରାଟେକକୁ ହସ୍ତାନ୍ତର କରାଯାଇଥିଲା । ତେବେ ରବି ସେଠୀଙ୍କୁ ଏଥିପାଇଁ କୌଣସି ଟଙ୍କା ଦିଆଯାଇନଥିବା ତଦନ୍ତରୁ ଜଣାପଡ଼ିଛି ।
ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡର ମୁଖ୍ୟ ପ୍ରମୋଟର ବୈଜୟନ୍ତ ପଣ୍ଡା ଓ ଜଗିମଙ୍ଗତ ପଣ୍ଡା ରହିଥିବା କହିଛନ୍ତି ଏଡିଜି । ମାମଲାରେ କଂପାନୀର ନିର୍ଦ୍ଦେଶକ ମନୋରଂଜନ ଷଡ଼ଙ୍ଗୀ ଓ ଅଥରାଇଜ୍ ସିଗ୍ନୋଟାରି ଶିବପ୍ରସାଦ ଶ୍ରୀଚନ୍ଦନକୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଛି । ତେବେ ବେନାମୀ କାରବାରର ତଦନ୍ତ ରାଜ୍ୟସରକାରଙ୍କ ପରିସରଭୁକ୍ତ ହୋଇ ନଥିବାରୁ ଏହାର ତଦନ୍ତ ପାଇଁ ଆୟକର ବିଭାଗକୁ ଅନୁରୋଧ କରିଛି କ୍ରାଇମବ୍ରାଂଚ ।
କ୍ରାଇମବ୍ରାଂଚ ଏଡିଜିଙ୍କ ପ୍ରେସମିଟ୍ ପରେ ଓଟିଭି ନ୍ୟୁଜ ଚ୍ୟାନେଲରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ଓଟିଭି ପକ୍ଷରୁ କୁହାଯାଇଛି ଯେ ଏହା ରାଜ୍ୟ ସରକାରଙ୍କ ତଦନ୍ତର ପରିସରଭୁକ୍ତ ନଥିବା ଶେଷରେ ସ୍ୱୀକାର କରିଛି କ୍ରାଇମବ୍ରାଂଚ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/29-3.jpg)