ନୟାଗଡ ମାଓ ଆକ୍ରମଣ ମାମଲାରେ ପ୍ରମାଣ ଦେଇ ପାରୁନି କ୍ରାଇମବ୍ରାଞ୍ଚ । ଗୋଟିଏ ପରେ ଗୋଟିଏ ମାମଲାରେ ଦୋଷମୁକ୍ତ ହେଉଛନ୍ତି ସବ୍ୟସାଚୀ ଓ ଆଜାଦ ।

117

କନକ ବ୍ୟୁରୋ: ବହୁଚର୍ଚ୍ଚିତ ନୟାଗଡ଼ ନକ୍ସଲ ଆକ୍ରମଣର ଅଭିଯୁକ୍ତ ସବ୍ୟସାଚୀ ପଣ୍ଡା ଓ ଡି କେଶବ ରାଓ ଓରଫ ଆଜାଦ, ଗୋଟିଏ ପରେ ଗୋଟିଏ ମାମଲାରେ ଦୋଷମୁକ୍ତ ହେଉଛନ୍ତି । ୯ଟି ମାମଲା ମଧ୍ୟରୁ ୮ଟି ମାମଲାରେ ଆଜାଦ ଦୋଷମୁକ୍ତ ହୋଇଥିବା ବେଳେ ୩ଟି ମାମଲାରେ ଦୋଷମୁକ୍ତ କରିଛନ୍ତି କୋର୍ଟ । ଘଟଣାକୁ ୧୩ ବର୍ଷ ବିତିଗଲାଣି, ହେଲେ ଏହି ଘଟଣା ଶୁଣିଲେ ଆଜି ବି ଲୋମଟାଙ୍କୁରି ଉଠେ । ୨୦୦୮ ଫେବ୍ରୁଆରୀ ୧୫ ତାରିଖ ରାତି ପ୍ରାୟ ୯ଟାରେ ନୟାଗଡ଼ରେ ହୋଇଥିଲା ମାଓ ହମଲା । ଶତାଧିକ ମାଓବାଦୀ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଅଚାନକ ଆକ୍ରମଣ କରିଥିଲେ । ପୁଲିସ ବାହିନୀ ଏକପ୍ରକାର ଆତ୍ମସମର୍ପଣ କରି ଦେଇଥିଲା ସେମାନଙ୍କ ଆକ୍ରମଣରେ । ମାଓହିଂସାରେ ଏହା ଥିଲା ରାଜ୍ୟର ସବୁଠୁ ବଡ଼ ଘଟଣା । ଆକ୍ରମଣ ଏତେ ଭୟଙ୍କର ଥିଲା ଯେ କିଛି ଘଣ୍ଟା ପାଇଁ ନୟାଗଡ଼ରୁ ଦଶପଲ୍ଲା ଯାଏଁ ପ୍ରାୟ ୪୦ କିଲୋମିଟର ଅଞ୍ଚଳ ମାଓବାଦୀଙ୍କ କବଜାକୁ ଚାଲିଯାଇଥିଲା । ଅସ୍ତ୍ରାଗାର, ନୟାଗଡ଼ ଟାଉନ ଥାନା, ପୁଲିସ ଟ୍ରେନିଂ ସ୍କୁଲ, ମହିପୁର ଫାଣ୍ଡି, ନୂଆଗାଁ ଥାନା ଓ ଦଶପଲ୍ଲା ଥାନା ଉପରେ ଏକକାଳୀନ ଆକ୍ରମଣ କରି ପୂରା ଅଞ୍ଚଳରେ ଭୟର ତାଣ୍ଡବ ଖେଳାଇ ଦେଇଥିଲେ । ଏହି ଆକ୍ରମଣରେ ୧୫ ଜଣ ପୁଲିସ କର୍ମଚାରୀ ଓ ଜଣେ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା । ପୂରା ଘଟଣା ରାଜ୍ୟର ଆଇନ ଶୃଙ୍ଖଳା, ପୁଲିସ ବାହିନୀ ଓ ଗୁଇନ୍ଦା ବାହିନୀର କାର୍ଯ୍ୟ ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଥିଲା ।