୨୧୦ ଟଙ୍କାରେ ମିଳିବ କୋଭିସିଲ୍ଡ ଟିକା । ଭ୍ୟାକସିନର ଦାମ ନେଇ ସୂଚନା ଦେଲା ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ।

198

କନକ ବ୍ୟୁରୋ : ଟିକାକରଣ ପାଇଁ ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଠାରୁ ଟିକା କିଣିବା ପାଇଁ ଆନୁଷ୍ଠାନିକ ପ୍ରକ୍ରିୟା ଶେଷ କରିଛି । ଆଜି ସିରମ୍ ଇନଷ୍ଟିଚ୍ୟୁଟ୍ ସରକାରଙ୍କ ପର୍ଚେଜ୍ ଅର୍ଡର ହାସଲ କରିଛି । ୧ କୋଟି ୧୦ ଲକ୍ଷ କୋଭିସିଲ୍ଡ ଟିକା କିଣିବା ପାଇଁ ଏହି ପର୍ଚେଜ୍ ଅର୍ଡର ଦିଆଯାଇଛି । ଜିଏସଟିକୁ ମିଶାଇ ଗୋଟିଏ ଡୋଜ୍ ଟିକାର ଦାମ ୨୧୦ ଟଙ୍କା ରଖାଯାଇଛି । ପ୍ରଥମେ ୬୦ଟି ଟିକା ଗଛିତ କେନ୍ଦ୍ରକୁ ଟିକା ପଠାଯିବ ।

ପରେ ସେଠାରୁ ଅନ୍ୟ କେନ୍ଦ୍ରକୁ ପଠାଯିବ । ଭାରତ ବାୟୋଟେକରେ କୋ-ଭାକ୍ସିନ ଟିକା ମଧ୍ୟ କିଣିବା ପାଇଁ ପର୍ଚେଜ୍ ଅର୍ଡର ଦିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ସ୍ୱାସ୍ଥ୍ୟକର୍ମୀ ଏବଂ କରୋନା ଯୋଦ୍ଧାଙ୍କୁ ପ୍ରଥମେ ଭାକ୍ସିନ ଦିଆଯିବ । ଏମାନଙ୍କ ସଂଖ୍ୟା ୩ କୋଟି ହେବ । ଏହାପରେ ୫୦ ବର୍ଷରୁ ଉର୍ଦ୍ଧ ଏବଂ ୫୦ ବର୍ଷରୁ କମ୍ ବିଭିନ୍ନ ରୋଗରେ ପୀଡିତ ବ୍ୟକ୍ତି ଟିକା ଦିଆଯିବ । ଏମାନଙ୍କ ସଂଖ୍ୟା ୨୭ କୋଟି ବୋଲି କୁହାଯାଉଛି ।

ସେପଟେ ଆଜି ପ୍ରଧାନମନ୍ତ୍ରୀ ମୋଦି ଟିକାକରଣକୁ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଟିକାକରଣକୁ ନେଇ ହେଉଥିବା ବିଭିନ୍ନ ପ୍ରକାର ଅପପ୍ରଚାର ଠାରୁ ଦୂରେଇ ରହିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଯାଏଁ ଦେଶକୁ ୨ଟି କରୋନା ଟିକା ଆସିଛି, ଆଗକୁ ଆଉ ୪ଟି ଟିକା ଆସିବ । ଟିକା ସଂପୂର୍ଣ୍ଣ ଲାଭ ଦାୟକ, ଏବଂ ନିରାପଦ, ତେଣୁ କୌଣସି ଗୁଜବକୁ ବିଶ୍ୱାସ ନକରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।