ଡ୍ରଗ୍ସ କେସରେ ବଢିଲା ଆରୟନଙ୍କ ଅଡୁଆ । ଜାମିନ୍ ଆବେଦନ ଖାରଜ କଲେ କୋର୍ଟ ।

117

କନକ ବ୍ୟୁରୋ: ଡ୍ରଗ୍ସ ମାମଲାରେ ବଢିଲା ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଅଡୁଆ । ମୁମ୍ବାଇର କିଲ୍ଲା କୋର୍ଟ ଆଜି ଆରୟନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଏହି ଜାମିନ୍ ଆବେଦନ ଗ୍ରହଣଯୋଗ୍ୟ ନୁହେଁ ବୋଲି କୋର୍ଟ କହିବା ସହିତ ଏହାକୁ ଖାରଜ କରିଦେଇଛନ୍ତି । ତେବେ ଜାମିନ୍ ଆବେଦନ ଖାରଜ ହେବା ପରେ ଆରୟନ ଖାନଙ୍କ ସହିତ ଅନ୍ୟ ଅଭିଯୁକ୍ତମାନଙ୍କୁ ଏବେ ଜେଲରେ ରହିବାକୁ ପଡିବ ।

ମାଜିଷ୍ଟ୍ରେଟ୍ କୋର୍ଟରେ ଆରୟନଙ୍କ ଓକିଲ ସତୀଶ ମାନସିନେ୍ଧ ଜାମିନ୍ ପାଇଁ ଆବେଦନ କରିଥିଲେ । ହେଲେ ମାଜିଷ୍ଟ୍ରେଟ୍ କୋର୍ଟଙ୍କ କହିବା ମୁତାବକ, ଏହି ମାମଲା ସେଶନ କୋର୍ଟରେ ବିଚାର ହେବ । ଏପରିସ୍ଥଳେ ତାଙ୍କୁ ସେଶନ କୋର୍ଟ ଯିବା ଉଚିତ୍ ବୋଲି କୋର୍ଟ କହିଛନ୍ତି । ଏଥିସହିତ ଆରୟନଙ୍କ ଜାମିନ୍ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଏବେ ଆରୟନ ଖାନ ଓ ଅନ୍ୟ ଅଭିଯୁକ୍ତଙ୍କୁ ମୁମ୍ବାଇର ସବୁଠୁ ବଡ ଜେଲ ଆର୍ଥର ଜେଲରୁ ୧ ନମ୍ବର ବାରାକରେ ରଖାଯାଇଛି । ତେବେ ଜେଲର ଏକ ସ୍ପେଶାଲ କ୍ୱାରେଣ୍ଟିନ୍ ବାରାକରେ ତାଙ୍କୁ ରଖାଯିବ । କ୍ରୁଜ ଭିତରେ ଡ୍ରଗ୍ସ ପାର୍ଟି ନେଇ ଏବେ ଆରୟନ ଖାନଙ୍କ ବିରୋଧରେ ଏହି ମାମଲା ଚାଲିଛି । ଯାହାକୁ ଲଢୁଛନ୍ତି ଚର୍ଚ୍ଚିତ ଓକିଲ ସତୀଶ ମାନସିନେ୍ଧ । ହେଲେ ସତୀଶ ଆଜି କୋର୍ଟରେ ଆରୟନଙ୍କ ପାଇଁ ଜାମିନ୍ ଆଣିପାରିନାହାଁନ୍ତି ।