କନକ ବ୍ୟୁରୋ: ନାବାଳିକା ଦୁଷ୍କର୍ମ ମାମଲାର ଶୁୁଣାଣି କରି ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଫାଷ୍ଟଟ୍ରାକ୍ ପୋକ୍ସ କୋର୍ଟ । ଜଜ୍ ଗଣେଶ୍ୱର ପତି ଜଣେ ୫୩ବର୍ଷୀୟ ଅଭିଯୁକ୍ତକୁ ୨୦ବର୍ଷ ଜେଲଦଣ୍ଡ ସହ ୩୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ହେଲେ ଅଧିକା ୩ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହ ଦୁଷ୍କର୍ମ ମାମଲାର ପିଡୀତାଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ ପାଇଁ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି ।

Advertisment

୨୦୧୯ ମସିହା ସେପ୍ଟେମ୍ବର ୧୩ ତାରିଖ ଦିନ ଖଲିକୋଟ ଥାନା ଅଞ୍ଚଳରେ ନିଜ ଘର ସମ୍ମୁଖରେ ଖେଳୁଥିବା ଏକ ୧୦ବର୍ଷୀୟ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅଭିଯୁକ୍ତ ପ୍ରହଲାଦ ବେହେରା ଦୁଷ୍କର୍ମ କରିବା ସହ ଖବର ପ୍ରଘଟ ନକରିବା ପାଇଁ କହିଥିଲ । ତେବେ ନାବାଳିକା ଜଣକ ପରିବାର ଲୋକଙ୍କୁ ଜଣାଇଦେବା ପରେ ୨୦୧୯ ମସିହା ସେପ୍ଟେମ୍ବର ୨୪ ତାରିଖ ଦିନ ନାବାଳିକାର ପରିବାର ଲୋକେ ଖଲିକୋଟ ଥାନାରେ ଏତଲା ଦେଇଥିଲେ । ଖଲିକୋଟ ଥାନା ପୋଲିସ ତଦନ୍ତ କରି ଅଭିଯୁକ୍ତ ପ୍ରହଲାଦକୁ ଗିରଫ କରି କୋର୍ଟ ଚାଲାଣ ପରେ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇଥିଲା । ତଦନ୍ତ ଅଧିକାରୀଙ୍କ ଚାର୍ଜସିଟ୍ ସହ ୧୦ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତ ପ୍ରହଲାଦ ବେହେରାକୁ ମାନ୍ୟବର କୋର୍ଟ ଦଣ୍ଡାଦେଶ ଦେଇଥିବା ଫାଷ୍ଟଟ୍ରାକ୍ ପୋକ୍ସ କୋର୍ଟର ସ୍ୱତନ୍ତ୍ର ପିପି ମୋହନ ସିଂଗାରୀ କହିଛନ୍ତି । ବୟସ ଯାହା ହେଉନା କାହିଁକି ପକସୋ ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି ସେ କହିଛନ୍ତି ।