କନକ ବ୍ୟୁରୋ: ରାଜ୍ୟ ରାଜନୀତିକୁ ହୁଲୁସ୍ତୁଲ କରୁଥିବା ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ମିଳିଲାନି ଜାମିନ । ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟରେ ଜାମିନ ଆବେଦନ ଖାରଜ ପରେ ଏବେ ଜେଲରେ କଟିବ ଅର୍ଚ୍ଚନାଙ୍କ ଦିନ । ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ଅର୍ଚ୍ଚନାଙ୍କ ବିରୋଧରେ ଲାଗିଥିବା ସଙ୍ଗୀନ ଦଫା ଏବେ ତାଙ୍କ ଅଡୁଆ ବଢାଇଦେଇଛି ।
ଅର୍ଚ୍ଚନାଙ୍କ ପାଇଁ ଦଫା ବଢାଇଲା ଅଡୁଆ
ଯୁବତୀଙ୍କ ଏତଲା ଅନୁଯାୟୀ ଅର୍ଚ୍ଚନାଙ୍କ ବିରୋଧରେ ଲାଗିଥିବା
-ଦଫା ୩୭୦ ଅର୍ଥାତ ମାନବଚାଲାଣ କରିବା
-ଦଫା ୩୨୮ ଅର୍ଥାତ ନିଶା ଓ ବିଷଦେଇ ଫସାଇବା
-୧୨୦/ ‘ବି’ ଅପରାଧିକ ଷଡଯନ୍ତ୍ର କରିବା
-୬୬, ୬୭/”ଇ” ଆଟି ଆକ୍ଟ ଭଳି ସଙ୍ଗୀନ ଦଫା ଯୋଗୁଁ ଏଡିଜେଏମ କୋର୍ଟ ଅର୍ଚ୍ଚନାଙ୍କ ଜାମିନକୁ ଆବେଦନକୁ ଖାରଜ କରିଛନ୍ତି ।
ନିୟମ କହୁଛି, ଜଣେ ଅଭିଯୁକ୍ତ ଗିରଫ ହେବାର ୧୪ ଦିନ ମଧ୍ୟରେ କୋର୍ଟରେ ରିମାଣ୍ଡ ପାଇଁ ଆବେଦନ କରି ପଚରାଉଚରା ପାଇଁ ପୁଲିସ ନିଜ ହେପାଜତକୁ ନେଇପାରିବ । ଅର୍ଚ୍ଚନା ଗିରଫ ହେବାର ୧୧ଦିନ ବିତିଗଲାଣି । ହେଲେ ଏବେ ବି ପୁଲିସ ପକ୍ଷରୁ ରିମାଣ୍ଡ ପାଇଁ ଆବେଦନ ହୋଇନାହିଁ । ଦୁଇଦିନ ମଧ୍ୟରେ ରିମାଣ୍ଡ ଆବେଦନ କରି ଅଭିଯୁକ୍ତକୁ ପଚରାଉଚରା କରି ତଥ୍ୟ ହାସଲ କରିବା କାଠିକର ପାଠ ହୋଇପାରେ । ତେବେ ଅଭିଯୁକ୍ତକୁ ରିମାଣ୍ଡରେ ନେବାକୁ ପୁଲିସ ଚାହିୁଁନଥିବା ସ୍ପଷ୍ଟ ଜଣାପଡୁଛି ବୋଲି ଆଇନଜୀବୀ କହିଛନ୍ତି ।
ଅର୍ଚ୍ଚନାଙ୍କ ନାଗଫାସରେ ପଡିଥିବା ବ୍ୟକ୍ତିମାନେ କିଏ ? କେଉଁଁମାନଙ୍କ ଛତ୍ରଛାୟା ତଳେ ରହି ଅର୍ଚ୍ଚନା ଚଳାଇଥିଲେ ବ୍ଲାକମେଲ ସାମ୍ରାଜ୍ୟ? ଅର୍ଚ୍ଚନାଙ୍କୁ ସୁରକ୍ଷା ଦେଉଛି କିଏ? କେଉଁ ପ୍ରଭାବଶାଳୀଙ୍କ ଚାପରେ ଅର୍ଚ୍ଚନା ଫାଇଲ ଚାପିବାକୁ ହେଉଛି ଉଦ୍ୟମ ଏଭଳି ଅନେକ ପ୍ରଶ୍ନର ଉତର ମିଳିବା ବାକି ରହିଛି ।
Follow Us