ସ୍ୱାମୀ ସ୍ତ୍ରୀ ବିବାଦ ଭିତରେ ଆସିଲା ଅନୁଭବଙ୍କ ଟୁଇଟ । କହିଲେ, ସତ୍ୟ ସହିତ ଅଛନ୍ତି, ସମସ୍ତଙ୍କ ଉପରେ ଆଇନ : ଓକିଲ କହିଲେ କୋର୍ଟରେ ଦେବେ ଡିଜିଟାଲ ମିଡିଆରୁ ମିଳୁଥିବା ତଥ୍ୟ

2,015

କନକ ବ୍ୟୁରୋ : ଦିନ ଯେତିକି ଗଡି ଗଡି ଚାଲିଛି , ଅନୁଭବ-ବର୍ଷା ବିବାଦ ସେତିକି ବଢି ବଢି ଚାଲିଛି । ସୋସିଆଲ ମିଡିଆରେ ଉଭୟ ପକ୍ଷର ଲଢେଇ ବିବାଦକୁ ନୂଆ ମୋଡ ଦେଉଛି । ଏହି କ୍ରମରେ ଇଏ ହେଉଛି ସାଂସଦ ଅନୁଭବ ମହାନ୍ତିଙ୍କ ଟୁଇଟ । ଯେଉଁ ଟୁଇଟରେ ଅନୁଭବ କହିଛନ୍ତି, ‘ ସମସ୍ତଙ୍କ ଉପରେ ଆଇନ ରହିଛି । ସତ ସହିତ ମୁଁ ଅଛି । କିଏ ଠିକ କିଏ ଭୁଲ ତାହା ନିର୍ଦ୍ଧାରଣ କରିବାକୁ ମୁଁ କେହି ନୁହେଁ । କାରଣ କେତେକ ଖବରରେ କାହାଣୀର ଗୋଟିଏ ପାଶ୍ୱର୍ ଦେଖିବାକୁ ମିଳୁଛି । ଅନ୍ୟପକ୍ଷଟି ପୁରା ଅଜଣା ରହୁଛି । ଯିଏ ନ୍ୟାୟ ପାଇବାକୁ ଚାହୁଁଛି, ସେଇଟା ପାଇବା ତାର ଅଧିକାର ।’

ଏସବୁ ଭିତରେ ଆସିଛି ଅନୁଭବ ମହାନ୍ତିଙ୍କ ଓକିଲ ଅଶ୍ୱିନୀ ଦୁବେଙ୍କ ବଡ ବୟାନ । ସେ କହିଛନ୍ତି ବିବାହ ବିଚ୍ଛେଦ ପାଇଁ କ୍ରୁରତା ଏକ ବଡ କାରଣ । ଯଦି କ୍ରୁରତା ପ୍ରମାଣ ନହୁଏ ତେବେ କୋର୍ଟ ଏହି ଘଟଣାକୁ ଗମ୍ଭୀରତାର ସହିତ ବିଚାର କରିବେ । ଉଭୟ ପକ୍ଷ ସୋସିଆଲ ମିଡିଆରେ ରଖୁଥିବା ପକ୍ଷକୁ ଡିଜିଟାଲ ଏଭିଡେନ୍ସ ଭାବେ ଗ୍ରହଣ କରାଯିବ ।

ସେ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ଜଣେ ଅଧିକ ପୀଡିତ ହୋଇଯାଏ, ସେ ଆଇନର ଆଶ୍ରୟ ନେଇଥାଏ । ସେଲିବ୍ରିଟି ହେଲେ ମଧ୍ୟ ବିବାହ ବିଚ୍ଛେଦ ଆଇନ ସମସ୍ତଙ୍କ ପାଇଁ ସମାନ । ଅମିର ଖାନଙ୍କ ବିବାହ ବିଚ୍ଛେଦକୁ ଏକ ଉଦାହରଣ ଭାବେ ସେ ଉପସ୍ଥାପନ କରିଛନ୍ତି । ଭରଣ ପୋଷଣ କଥା ମଧ୍ୟ କୋର୍ଟ ଅତି ସାବଧାନତାର ସହ ବିଚାର କରିବେ । କାରଣ ଯଦି ପତ୍ନି ନିଜେ ଆୟ କରୁଥାନ୍ତି ଏବଂ ନିଜ ଖର୍ଚ୍ଚ ନିଜେ ଉଠାଇପାରୁଥାନ୍ତି ତେବେ କୋର୍ଟ ଏହି ଘଟଣାକୁ ଗମ୍ଭୀରତାର ସହିତ ବିଚାର କରିବେ ।

ସୋସିଆଲ ମିଡିଆରେ ଉଭୟ ପକ୍ଷଙ୍କ ଯୁଦ୍ଧ ମଧ୍ୟରେ ଅସଲ କଥା ହେଲା, କିଏ ସତ କହୁଛି ଆଉ କିଏ ମିଛ କହୁଛି । ଏହାରି ଭିତରେ ଅନୁଭବ ବର୍ଷାଙ୍କ ଠାରୁ ଦୁରେଇବାକୁ ଚାହୁଁଥିବା ବେଳେ ବର୍ଷା ବିବାଦର ସମାଧାନ କିପରି ହୋଇପାରିବ ସେ ଉପରେ ଜୋର ଦେଉଛନ୍ତି ।