ଅନ୍ତର୍ଜାତୀୟ ବ୍ୟବସାୟ ମେଳାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଦମ୍ପତିଙ୍କ ଷ୍ଟଲ: ମାଣ୍ଡିଆରେ ପ୍ରସ୍ତୁତ ଚାଓମିନ୍, ପାସ୍ତା, ମାଣ୍ଡିଆ ଲଡ଼ୁ, ସେଓ, ବିସ୍କୁଟ, ନିମକି ବିକ୍ରି କରୁଛନ୍ତି ପ୍ରମିଳା ଓ ଗୋପାଳ

100

କନକ ବ୍ୟୁରୋ: ବୟସ ଏବେ ୬୦ ପରେ । ହେଲେ ବାର୍ଦ୍ଧକ୍ୟ ହୋଇନି ବାଧକ । ଭୁବନେଶ୍ୱର ରେ ଆୟୋଜିତ ଟ୍ରେଡ ମେଳାରେ ଏପରି କିଛି ଘଟଣା ଦେଖିବାକୁ ମିଳିଛି, ଯାହାକି ସମସ୍ତଙ୍କ ପାଇଁ ଆଦର୍ଶର କେନ୍ଦ୍ର ପାଲଟିଛି । ନାମ – ପ୍ରମିଳା ସାହୁ ଓ ଗୋପାଳ ସାହୁ । ଘର – ସମ୍ବଲପୁର

ଏହି ଦମ୍ପତି ସ୍ଵୟଂ ସହାୟକ ଗୋଷ୍ଠୀ ସହ ମିଶି ରୋଜଗାରର ନୂଆ ପନ୍ଥା ଅପଣାଇଛନ୍ତି । ବର୍ତ୍ତମାନର ସମୟରେ ବିଶେଷକରି ସମସ୍ତେ ସ୍ଵାସ୍ଥ୍ୟକୁ ନେଇ ଅଧିକ ଯତ୍ନବାନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏହି ଦମ୍ପତି ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିଛନ୍ତି । ଯଥା ମାଣ୍ଡିଆରେ ପ୍ରସ୍ତୁତ ଚଓମିନ, ପାସ୍ତା ସହ ମାଣ୍ଡିଆ ଲଡୁ, ସେଓ, ବିସ୍କୁଟ, ନିମିକି, ମିଶ୍ଚର୍, ଗାଣ୍ଠିଆ ଲଡୁ ଇତ୍ୟାଦି ପ୍ରସ୍ତୁତ କରିଛନ୍ତି । ଯାହାକି ଲୋକଙ୍କ ଦ୍ୱାରା ବେସ ଗ୍ରହଣୀୟ ମଧ୍ୟ ହେଉଛି । ହାତ ରେ ତିଆରି ବଡ଼ି, ପାମ୍ପଡ, ହଳଦୀ ମସଲା ତଥା ଡାଲି ଜାତୀୟ ସାମଗ୍ରୀ ମଧ୍ୟ ଏହି ଦମ୍ପତିଙ୍କ ପାଖରେ ଉପଲବ୍ଧ ରହିଛି । ଏହାକୁ କିଣିବାକୁ ମେଳା ରେ ଗ୍ରାହକଙ୍କ ଭିଡ଼ ଜମୁଛି ।

ଖାଲି ଖାଦ୍ୟ ସାମଗ୍ରୀ ନୁହେଁ , ବରଂ ସୁଗନ୍ଧିତ ଧୂପ କାଠି ମଧ୍ୟ ପ୍ରସ୍ତୁତ କରିଛନ୍ତି ଏହି ଦମ୍ପତି । ସପ୍ତାହକୁ ପ୍ରାୟ ୫୦ କୁଇଣ୍ଟାଲ ଉପାଦାନ ହେଉଛି । ଚନ୍ଦନ , କସ୍ତୁରୀ , ଝୁଣା ଆଦି ବାସ୍ନାରେ ଉପଲବ୍ଧ । ଏଥିରୁ ମାସକୁ ରୋଜଗାର ୩ ରୁ ୫ ଲକ୍ଷ୍ୟ ହେଉଛି । ମୂଳ ଖର୍ଚ୍ଚ କୁ ଛାଡ଼ି ଯାହା ଲାଭ ହେବ ତାହାକୁ ସଂଘର ୩୦ ମହିଳାଙ୍କ ମଧ୍ୟରେ ଭାଗ କରାଯାଉଛି ବୋଲି କହିଛନ୍ତି ପ୍ରମିଳା ସାହୁ । ଯେଉଁମାନେ ଏହି ସବୁ ସାମଗ୍ରୀକୁ ପ୍ରସ୍ତୁତ କରୁଛନ୍ତି , ସେମାନଙ୍କୁ ଦିନ ମଜୁରୀ ଭାବେ ୩୦୦ ଟଙ୍କା ଦିଆଯାଉଛି । ଏଥିରୁ ମହିଳାଙ୍କ ରୋଜଗାର ବଢୁଛି ବୋଲି ସେ କହିଛନ୍ତି । ସେହିଭଳି ସଂଘ ଆବଶ୍ୟକୀୟ ସାମଗ୍ରୀ ସବୁ ବଜାର ମୂଲ୍ୟରେ ଚାଷୀଙ୍କ ଠାରୁ କ୍ରୟ କରିଥାନ୍ତି । ଯଥା ସୋରିଷ , ବିରି , କୋଳଥ, ମାଣ୍ଡିଆ ହରାଡ ଇତ୍ୟାଦି । ଏଥିରୁ ସିଧାସଳଖ କୃଷକଙ୍କ ରୋଜଗାର ବଢୁଛି ବୋଲି ପ୍ରମିଳା କହିଛନ୍ତି । ସେହିଭଳି ପ୍ରମିଳାଙ୍କ ସ୍ବାମୀ ଗୋପାଳ ଚନ୍ଦ୍ର ସାହୁ କହିଛନ୍ତି ଯେ , ଏହା ସୁଦ୍ଧ ଆଉ ହାତ ତିଆରି । ସେଥିପାଇଁ ଲୋକମାନେ ଆମ ସାମଗ୍ରୀ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।

ସେହିଭଳି ଏହି ଦମ୍ପତିଙ୍କ ଷ୍ଟଲରେ ଅନ୍ୟ ଏକ ଆକର୍ଷଣ ସାଜିଛି କଙ୍ଗୁ ଚାଉଳ ଓ ସୁଆଁ ଚାଉଳରେ ପ୍ରସ୍ତୁତ ବିସ୍କୁଟ । ଯାହାକି ସ୍ଵାଦିଷ୍ଟ ହେବା ସହ ସ୍ଵାସ୍ଥ୍ୟ ପକ୍ଷେ ହିତକର । କିଛି ସାଧାରଣ ଖାଦ୍ୟ ସାମଗ୍ରୀର ବ୍ୟବହାରରେ ଏତେ ସ୍ୱାଦିଷ୍ଟ ଆଉ ବିଭିନ୍ନ ପ୍ରକାରର ବ୍ୟଞ୍ଜନ କରି ତାହାକୁ ଲୋକଙ୍କ ପାଖରେ ଆଦୃତ କରିବା ରେ ସଫଳ ହୋଇଛନ୍ତି ଏହି ଦମ୍ପତି । ଯାହାକି ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଛି ।