କନକ ବ୍ୟୁରୋ: ଠକେଇର ନୂଆ ତରିକା । ତାନ୍ତ୍ରିକ ବେଶରେ ଆସିଲେ ଦମ୍ପତିଙ୍କଠୁ ଲୁଟିନେଲେ ଅଳଙ୍କାର । ଘରର ଦୋଷ ବାହାର କରିଦେବାକୁ କହି ଲୁଟ କରିଛନ୍ତି ଦୁର୍ବୁତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ । ଠକେଇର ଶିକାର ହୋଇଛନ୍ତି ଉମରକୋଟ ପ୍ରଭାକର ମଲ୍ଲିକଙ୍କ ପରିବାର । ଅଭିଯୋଗ ଅନୁସାରେ ଗତ ରବିବାର ତାଙ୍କ ଘରକୁ ଜଣେ ବ୍ୟକ୍ତି ଆସି ନିଜକୁ ତାନ୍ତ୍ରିକ ଏବଂ ବସ୍ତୁଶାସ୍ତ୍ର ଜାଣିଥିବା କହିଥିଲେ । ପରିବାରର ଆୟକର ବଢାଇବା ପାଇଁ ପ୍ରଭାକର ଏବଂ ତାଙ୍କ ସ୍ତ୍ରୀଙ୍କ ବୟସ ମିଶାଇ ୭୩ ଗ୍ରାମ ତମ୍ବା ୭୩ ଗ୍ରାମ ରୂପା ଓ ୭୩ ଗ୍ରାମ ଓଜନର ସୁନା ମାଗିଥିଲେ । ସେହି ସୁନାରୂପା ଓ ତମ୍ବାକୁ ଗୋଟିଏ ଷ୍ଟିଲ ହାଣ୍ଡି ଭିତରେ ରଖିଥିଲେ ଓ ସେଥିରେ ପାଣି ଭର୍ତି କରିଥିଲେ । ଏବଂ ସେହି ପାଣିରେ ଗାଧୋଇଲେ ସବୁ ଦୋଷ କଟିଯିବ ବୋଲି କହିଥିଲା ଠକ ତାନ୍ତ୍ରିକ । ତାନ୍ତ୍ରିକର କଥା ଶୁଣି ତିନିଚାରି ଦିନ ଧରି ସେହି ପାଣିରେ ଗାଧୋଇଥିଲେ ସ୍ୱାମୀ-ସ୍ତ୍ରୀ । ପରେ ଏକ ପୂଜା କରିବା ସହ ଉକ୍ତ ହାଣ୍ଡିକୁ ୨୭ ଟି ଗଣ୍ଠି ପକାଇ ଦେଇଥିଲେ । ପରେ ତାନ୍ତ୍ରିକକୁ ପ୍ରଭାକର ବାଇକ୍ରେ ନେଇ ବସଷ୍ଟାଣ୍ଡରେ ଛାଡ଼ିବା ପରେ ସେ କେଉଁଆଡେ ପଳାଇ ଯାଇଥିଲେ । ପ୍ରଭାକର ଘରକୁ ଫୋନ କରି ବୁଝିବାରୁ ହାଣ୍ଡିରେ ସୁନାରୂପା ନଥିଲା । ହାଣ୍ଡି ଭିତରେ ହାତ ପୁରାଇ ଦେଖିବାରୁ ସେଥିରେ କିଛି ଗୋଡ଼ି, ୪୫ ଟି କୋନ୍, ତିନିଟି ଧଳା ଚୁଡ଼ି ସହ ଏକ ବିଷଧର ଜିଅନ୍ତା ସାପ ବାହାରିଥିଲା । ପରେ କିଛି ଲୋକ ଆସି ସାପକୁ ଧରି ଅନ୍ୟତ୍ର ଛାଡି ଦେଇଥିଲେ । ଘଟଣାସମ୍ପର୍କରେ ପ୍ରଭାକର ଉମରକୋଟ ଥାନାରେ ଏତଲା ଦେଇଛନ୍ତି । ଉମରକୋଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।