ଦେଶର ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୩୯ ଲକ୍ଷ ଟପିଲା, ୨୪ ଘଣ୍ଟାରେ ୮୩,୩୪୧ ନୂଆ ଆକ୍ରାନ୍ତ, ୧୦୯୬ ମୃତ

109

କନକ ବ୍ୟୁରୋ :  ଭାରତ ଧୀରେ ଧୀରେ କରୋନା ବିଶ୍ୱ ମହାମାରୀର କେନ୍ଦ୍ରରେ ପରିଣତ ହେବା ଦିଗରେ ଅଗ୍ରସର ହେଉଛି । ଦୈନିକ ସଂକ୍ରମଣରେ ଭାରତ ଏବେ ବିଶ୍ୱର ୧ ନମ୍ବର ଦେଶରେ ପରିଣତ ହୋଇଛି । ଗତ ୨୪ ଘଣ୍ଟାରେ ୮୩ ହଜାରରୁ ଅଧିକ ନୂଆ ସଂକ୍ରମଣ ସହ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୩୯ ଲକ୍ଷ ଟପିଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୩୯,୩୬,୭୪୭ ରେ ପହଞ୍ଚିଛି । ଏହା ମଧ୍ୟରୁ ୮,୩୧,୧୨୪ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୬୮,୪୭୨ ଅନ୍ତର୍ଭୁକ୍ତ । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୩୦,୩୭,୧୫୧ ରେ ପହଞ୍ଚିଛି ।

ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଗତ ୨୪ ଘଣ୍ଟାରେ ଭାରତରେ ୮୩,୩୪୧ ହଜାରରୁ ଅଧିକ ନୂଆ ମାମଲା ସାମନାକୁ ଆସିଛି ଓ ୧୦୯୬ ଜଣ ମୃତ୍ୟୁବରଣ କରିଛନ୍ତି । ଅନ୍ୟପକ୍ଷରେ ସାରା ବିଶ୍ୱରେ ମଙ୍ଗଳବାର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୬୨ ଲକ୍ଷ ଓ ମୃତ୍ୟୁସଂଖ୍ୟା ୮.୬୭ ଲକ୍ଷ ଟପିଯାଇଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୧.୪୯ ଲକ୍ଷ ଟପିଯାଇଛି । ଆମେରିକା ତଳକୁ ବ୍ରାଜିଲ ଓ ଭାରତ ରହିଛନ୍ତି । ତେବେ ଆଗାମି କିଛି ଦିନ ମଧ୍ୟରେ ଭାରତ ବ୍ରାଜିଲକୁ ଟପି ୨ୟ ସ୍ଥାନରେ ପହଞ୍ଚିବା ସମ୍ଭାବନା ବଢିଯାଇଛି ।